ପୃଷ୍ଠା:Chha mana atha guntha.pdf/୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଞ୍ଚଦଶ ପରିଚ୍ଛେଦ

ବାଘସିଂହ ବଂଶ :

ପ୍ରସିଦ୍ଧ ଆଇନ ଆକବରୀ ଲେଖକ ଆବୁଲ୍ ଫାଜଲ ବୋଲନ୍ତି "ଓଡ଼ିଶାରେ ପ୍ରକୃତ ଭୂମ୍ୟଧିକାରୀ ଖଣ୍ତାଏତମାନେ ଥିଲେ ।" ପ୍ରକୃତରେ ଗଜପତି ଦରବାରରେ ଖଣ୍ତାମୁଠିଠାରୁ ଲେଖନ ମୁନପର୍ଯ୍ୟନ୍ତ ସମସ୍ତ ରାଜକାର୍ଯ୍ୟ ସେମାନଙ୍କ ହସ୍ତଗତ ଥିଲା । ବେତନ ନିମନ୍ତେ ଗନ୍ତାଘରୁ ନଗଦ ଟଙ୍କା ପାଉ ନଥିଲେ, ଓଡ଼ିଶାର ଅଧିକାଂଶ ଭୂମିଖଣ୍ତ ଜାୟଗିରିସ୍ୱରୂପେ ପୁରୁଷାନୁକ୍ରମେ ବାଣ୍ଟି ଖାଉ ଥିଲେ । ଖଣ୍ତାଏତମାନଙ୍କ ବାହୁବଳରେ ଓଡ଼ିଶା ବହୁ କାଳପର୍ଯ୍ୟନ୍ତ ସ୍ୱାଧୀନତା ରକ୍ଷା କରିବାକୁ ସକ୍ଷମ ହୋଇଥିଲା । ପଠାଣ ମାନେ ତିନି ବର୍ଷରୁ ଅଧିକ କାଳ ବଙ୍ଗଳାଦେଶରୁ ଡୁଙ୍ଗି ଡୁଙ୍ଗି ମଧ୍ୟ ସୁବର୍ଣ୍ଣରେଖା ପାର ହୋଇ ପାରି ନ ଥିଲେ । ପାଇକମାନେ ସର୍ବଦା ରାଜଦରବାରରେ ଉପସ୍ଥିତ ନ ଥାନ୍ତି । ଦଳପତିମାନେ ଆପଣା ଆପଣା ଅଧିନସ୍ଥ ପାଇକମାନଙ୍କୁ ଘେନି ଗୋଟିଏ ଗୋଟିଏ ଚକ୍ରରେ ବାସ କରୁଥିଲେ । ଦଳପତିମାନଙ୍କ ବୈଠକ ସ୍ଥାନର ନାମ ଚୌପାଢ଼ୀ । ସେ ସ୍ଥାନରେ ମାଲବିନ୍ଧାଣ, ଫରିଖେଳ, କାଣ୍ତବିନ୍ଧା ଏବଂ ଗୁଳିମାରିବା ଏହି ଚାରି ପ୍ରକାର ବିଦ୍ୟାଲୋଚନା ହେଉଥିବା ଯୋଗୁ ଚୌପାଢ଼ୀ ନାମରେ କଥିତ ହେଉଥିଲା । ଗଜପତିବଂଶର ପତନ ଉତ୍ତାରେ ଟୋଡରମଲ ବଡ଼ ବଡ଼ ଚୌପାଢ଼ୀକୁ କିଲ୍ଲା ନାମରେ ବନ୍ଦୋବସ୍ତ କରିଅଛନ୍ତି । ଓଡ଼ିଶାର ଅନେକ ସ୍ଥାନରେ ଆଜିପର୍ଯ୍ୟନ୍ତ ନାମମାତ୍ର କ୍ଷୁଦ୍ର କ୍ଷୁଦ୍ର ଚୌପାଢ଼ୀ ବିଦ୍ୟମାନ ଥିବାର ଦେଖାଯାଏ ଏବଂ ପ୍ରାଚୀନ ଦଳପତିମାନଙ୍କର ଅଯୋଗ୍ୟ ବଂଶଧରର ମଧ୍ୟ ଅଭାବ ନାହିଁ ।

ଆମ୍ଭମାନଙ୍କର ବାଘସିଂହ ବଂଶ ପୂର୍ବୋକ୍ତ ଦଳପତିମାନଙ୍କର ଜଣେ ବଂଶଧର ଅଟନ୍ତି । ଏମାନଙ୍କର ସଂଜ୍ଞା ମଲ୍ଲ, ଜ୍ୟେଷ୍ଠପୁତ୍ରର ଉପାଧି ବାଘସିଂହ । ଜ୍ୟେଷ୍ଠପୁତ୍ର ଜାୟଗିରିର ଉତ୍ତରାଧିକାରୀ । ଅନ୍ୟ