ପୃଷ୍ଠା:Chha mana atha guntha.pdf/୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଳି ଲାଗିଅଛି । ମଙ୍ଗରାଜେ ଖୁବ୍ ବୁଦ୍ଧିମାନ, ମାଲି ମାମଲାରେ ଖୁବ୍ ଜାହାଁବାଜ; କିନ୍ତୁ ଠେଙ୍ଗନାମ ଶୁଣିଲେ ଘରୁ ବାହରନ୍ତି ନାହିଁ । ଏଣେ ବାଘସିଂହ ବଂଶ ବୋଲନ୍ତି, "ଠେଙ୍ଗା ସର୍ବାର୍ଥସାଧିକା"। ବିଶେଷରେ ଡମମାନଙ୍କ ଭୟରେ ମଙ୍ଗରାଜଙ୍କ ଲୋକେ ରତନପୁର ପାଖ ପଶିପାରନ୍ତି ନାହିଁ; କିନ୍ତୁ ଡମମାନେ ବାଡ଼ି ମଧ୍ୟରେ ଚୋରାମାଲ ପୋତି ରଖିଥିବା ଅପରାଧରେ ଜେଲ ଯାଇଅଛନ୍ତି । ଲୋକେ ବୋଲନ୍ତି, ଡମମାନେ କୌଣସି ପୁରୁଷରେ ଚୋରିବିଦ୍ୟା ଜାଣନ୍ତି ନାହିଁ, ମଙ୍ଗରାଜଙ୍କର ଏଥିରେ ଦୁଇଥଳୀ ଟଙ୍କା ଖରଚ । ମଙ୍ଗରାଜଙ୍କ ଉଦୁଆଁ ଗୋରୁ ରତନପୁର ମୌଜାରେ ଫନ୍ଦା ଉଜାଡ଼ କରିବାରୁ ସେଦିନ ବଳରାମ ମଲ୍ଲେ ଗୋବିନ୍ଦପୁର ମୌଜା ଦୋକାନପିଣ୍ତାରେ ବସି ମଙ୍ଗରାଜଙ୍କୁ ଦୁଇପଦ ଶୋଧିଦେଲେ । ମଙ୍ଗରାଜେ ପାଟି ଫିଟାଇ ପାରିଲେ ନାହିଁ । ଗୋବିନ୍ଦପୁରଠାରୁ ରତନପୁର ଦୁଇକୋଶ ଛଡ଼ା; ମାତ୍ର ଦୁଇ ମୌଜାର ବିଲ ଲଗା ଲଗି । ମଙ୍ଗରାଜଙ୍କ ଗୋରୁ ରତନପୁର ମୌଜା ଉଜାଡ଼ କରୁଥିବାର ସର୍ବଦା ଶୁଣାଯାଏ ।