ପୃଷ୍ଠା:Chha mana atha guntha.pdf/୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲୁଗାରେ ସମ୍ପୂର୍ଣ୍ଣ ଢଙ୍କା । ଗ୍ରାମରେ ପୁରୁଷ ଲୋକ ପ୍ରାୟ କେହି ନାହାନ୍ତି । ବିଲବାଡ଼ି କାମ ନ ଥିବାରୁ ବାଘସିଂହ ଭାଇମାନଙ୍କ ସହିତ କେନ୍ଦ୍ରାପଡ଼ା ବଳଦେବଙ୍କ ସ୍ନାନ ଯାତ୍ରା ଦେଖିବାକୁ ଯାଇଅଛନ୍ତି । ଗାଁ ଏମୁଣ୍ତ ସେମୁଣ୍ତ ଚହଳ ପଡ଼ିଗଲା, ସୁଆରି ଅଇଲା, ସୁଆରି ଅଇଲା ବୁଢ଼ୀ ଦରବୁଢ଼ୀ, ମାଇକିନିଆମାନେ ଧଡ଼ କରି କବାଟ ମେଲାଇଦେଇ ଗୋହିରୀକୁ ବାହାରିପଡ଼ିଲେ । ବୋହୂଗୁଡାକ କବାଟ ଦରଆଉଜା କରି ଫାଙ୍କବାଟେ ମୁହଁ ଗଳାଇ ନାକବସଣି କାଢ଼ିଦେଲେ । ଗାଁ ମାଈକିନିଆ ମଧ୍ୟରେ ଡୋଲ୍ୟାରୋହୀ ସମ୍ବନ୍ଧରେ ନାନା ତର୍କ ଉପସ୍ଥିତ ହେଲା । ପ୍ରଥମେ ଲିଙ୍ଗବିଚାର, ପରେ ବ୍ୟକ୍ତି ବିନିମୟ । କେହି କହିଲା; ନୂଆବୋହୂ କେହି କହିଲା ଜମାଦାର, କେହି କହିଲା ସାହାବ । ଜେମା ମା ଅକାଟ୍ୟ ଯୁକ୍ତି ଦେଖାଇ କହିଲା, "ଆଜି ସ୍ନାନପୂର୍ଣ୍ଣମୀ, ଜମାଦାର ସାହାବ ଘରକୁ ପରିବା ଭାର ନେଇଯା ଉଅଛନ୍ତି ।" ଡୋଲି ବାଘସିଂହ ଚଉରା ପାଖରେ ମୁହଁ ବୁଲାଇ ନ ଥିଲେ ଜେମା ମା ଅନୁମାନ ସିନ୍ଧାନ୍ତରେ ପରିଣତ ହେବାର ଖୁବ୍ ସମ୍ଭାବନା ଥିଲା । ବେହେରାମାନେ ବାଘସିଂହ ଦୁଆରେ ଡୋଲିଟା ଗୁମ୍ କରି ଥୋଇଦେଇ ଗାମିଛାରେ ମିହଁ ବିଞ୍ଚିହେଲେ, ଗମଗମ ଦେହରୁ ଝାଳ ବହିଯାଉଅଛି । ବାଁ ହାତ ପାପୁଲିରେ ମୁହଁରୁ ପୋଷ ପୋଷ ଝାଳ ପୋଛିପକାଉଅଛନ୍ତି । ଭିତରକୁ ଖବର ଗଲା, ନୂଆବୋହୂ ମାଉସୀ ଆସିଅଛନ୍ତି । ଗଲା ମକର ମାସରେ ବାଘସିଂହଙ୍କ ପୁଅ ଚନ୍ଦ୍ରମଣି ଡାଳିଯୋଡ଼ା ଫତେସିଂହଙ୍କ ଝିଅକୁ ବିଭା ହୋଇଅଛନ୍ତି । ଏହି ଡୋଲି ଯେ ସଳଖେ ଡାଳିଯୋଡ଼ାରୁ ଅଇଲା, ବିନା ବ୍ୟାଖ୍ୟାରେ ବୁଝିବାକୁ ଗ୍ରାମର ବୁଦ୍ଧିମତୀ ସ୍ତ୍ରୀ ମାନଙ୍କ ପକ୍ଷରେ ଅଖଞ୍ଜ ହେଲା ନାହିଁ । ମାଣିକ ଭଣ୍ତାରୁଣୀ ସାଆନ୍ତାଣୀମାନଙ୍କୁ ଖବର ଦେବାସକାଶେ ଭିତରକୁ ଧାଇଁଲା । ଆମ୍ଭମାନଙ୍କ ମାଣିକର ନାମ ଶୁଣିଥିବେ, ନଚେତ୍ ଶୁଣିବା ଆବଶ୍ୟକ । ଏହାକୁ ତୁଚ୍ଛା ଭଣ୍ତାରୁଣୀଟିଏ ବୋଲି ଜାଣିବେ ନାହିଁ । ଏ ବୁଦ୍ଧିରେ, ମାମଲତରେ ଗୁଣରେ ଅନେକ ପୁରୁଷଙ୍କ କାନ କାଟି ଛାଡ଼ିଦେଇପାରେ । ଗ୍ରାମର ସମସ୍ତ ଲୋକେ ଏହାକୁ ଡରିଥାନ୍ତି । ବୁଢ଼ୀ ଦରବୁଢ଼ୀ, ପର୍ଯ୍ୟନ୍ତ ଭାରି ଭାରି କଥାରେ ଏହାଠାରୁ ପରାମର୍ଶ ନେଇ