ପୃଷ୍ଠା:Chha mana atha guntha.pdf/୮୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


କାର୍ଯ୍ୟ କରନ୍ତି । ଗୁଣବିଦ୍ୟାରେ ଏହା ଆଗରେ କେହି ଛିଡ଼ାହୋଇପାରିବ ନାହିଁ । ଗାଁର କଅଁଳା ପିଲାଙ୍କୁ ଦୃଷ୍ଟିହେଲେ ଫୁଙ୍କି ଉଡ଼ାଇଦିଏ । ଧାଇପଣରେ ଖୁବ୍ ଟାଣ-ବୋହୂଝିଅ ଦେହକୁ ଲାଗିଲେ ଉଠିଆରି ପର୍ଯ୍ୟନ୍ତ ପୁଆତି ପାଖଛଡ଼ା ହୁଏନାହିଁ । ମୂଳ ମୂଳିକା ମଧ୍ୟ ଢ଼େର୍ ଜଣା, ପର ଉପକାର କରିବାକୁ ଯେପରି ହୁମଯୁମ, ଉପରେ ପଡ଼ି କଜିଆ କରିବାକୁ ସେହିପରି ମଜବୁତ୍ । କଜିଆରେ ଲାଗିଅଛି ତ ସେଦିନ ଗାଧୁଆ ନ ହେଲା । କାହାରି ଦେହପା'କୁ ଲାଗିଲେ ତାହାକୁ ଯଦି ଦିପଦ କଅଁଳେଇ କହିଦେଇଅଛ, ନ ଖାଇ ନ ଶୋଇ ରାତିସାରା ବସି ଦେହରେ ହାତ ବୁଲାଉଥିବ । ବାହା ପୁଆଣିରେ ଡାକ ନ ଡାକ ମାଣିକ ଉପସ୍ଥିତ, କହ ନ କହ ସବୁ କାମ କରିପକାଇବ । ମାଣିକ ନ ଜାଣେ, ଏମନ୍ତ କଥା ନାହିଁ । କଟକ କଥା, ସାହେବ ଘର କଥା, ପୁରୀ ଜଗନ୍ନାଥ ମନ୍ଦିର କଥା ଇତ୍ୟାଦି କଥାମାନ ଗ୍ରାମର ସ୍ତ୍ରୀଲୋକମାନେ ମାଣିକ ମୁହଁରୁ କେବଳ ଶୁଣିବାକୁ ପାଆନ୍ତି । ମାଛ ବିନା ପୋଖରୀ ଥାଇପାରେ; ମାତ୍ର ନିନ୍ଦୁକ ଛଡ଼ା ଗାଁ ନାହିଁ । କେହି କେହି କହନ୍ତି, ମାଣିକଟା ଡବଡବୀ, ମିଛେଇ, ଆଗତ କହୀ, ଏହାର ତିନିପୁରୁଷରେ କେହି ଗାଁ ଡେଇଁ ନାହାନ୍ତି, କଟକ କଥା, ସାହେବ ଘର କଥା କାହୁଁ ଜାଣିଲା । ବାଘସିଂହ ଉଆସରେ ମାଣିକର ଭାରି ଖାତର । ସହସ୍ର ଥର କଥିତ, ଶଏ ଥର ଶ୍ରୁତ ରଜାପୁଅ, ମନ୍ତ୍ରୀପୁଅ, ସାଧବପୁଅ, କଟୁଆଳପୁଅ, ଚାରିଜଣ ମିଶି ବିଦେଶ ଯିବାକଥା, କଲରେଇ ଦେଈ କଥା, ନଈ ସେପାରି ମଙ୍ଗଳା କଥା ଇତ୍ୟାଦି କାହାଣୀମାନ ଶୁଣିବା ସକାଶେ ପ୍ରତିଦିନ ସନ୍ଧ୍ୟାବେଳେ ସାଆନ୍ତଣୀମାନଙ୍କର ଡାକରା ଆସେ । ରାମ ରାବଣ ଯୁଦ୍ଧ କଥା ମାଣିକ ମୁହେଁ ମୁହେଁ କହିଯାଏ । ଯେ କଥା ପଚାର ସେଥିର ଜବାବ ନିଶ୍ଚୟ ପାଇବ; ମାତ୍ର ଗୋଟିଏ କଥା, ସେ ଯାହା କହିବ, ତୁମ୍ଭେ ସେଥିରେ ହୁଁ ଦେଇ ଯାଉଥିବ । ଯଦି ବୋଲ ନୁହେଁ ପରା, ଆଉ ଯାଅ କାହିଁ , ସେ କଥା ଯାଉ, 'ସ୍ୱନାମା ରମଣୀ ଧନ୍ୟା ।' ମାଣିକକୁ ଗ୍ରାମରେ ସମସ୍ତେ ଭଲ ଜାଣନ୍ତି, ଆମ୍ଭମାନଙ୍କର ଚିହ୍ନାଦେବା ଅନାବଶ୍ୟକ ।

ଡୋଲି ମଝି ଦାଣ୍ତରେ ଯାଉଥିବାବେଳେ ମାଣିକ ପଛରେ ଥିବା ଭଣ୍ତାରୀ ସାଙ୍ଗରେ କଥାବାର୍ତ୍ତା କରି ଓଲଟା ବୁଝିଗଲା, ତାହା ବାଦ୍