ପୃଷ୍ଠା:Chha mana atha guntha.pdf/୮୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାଘସିଂହଙ୍କ ଦାଣ୍ତଦୁଆର ପାଟିକରି ଉଆସ ଭିତରକୁ ଧାଇଁଲା । "ବଡ଼ ସାଆନ୍ତାଣୀଏ ସାନ ସାଆନ୍ତାଣୀଏ, ମଝିଆଁ ସାଆନ୍ତାଣୀଏ, ଧାଇଁ ଆସନ୍ତୁ, କେଉଁଠାରେ ଅଛନ୍ତି ? ଡାଳିଯୋଡ଼ାରୁ ସମୁନ୍ଧୁଣୀଙ୍କ ସୁଆରି ଆସି ଓଳିଏ ହେଲା ଦାଣ୍ତଦୁଆରେ ବସିଲାଣି । ସମୁନ୍ଧୁଣୀଙ୍କ ଆସିବା କଥା ମୁଁ ଚାରିଦିନ ହେଲା ଶୁଣଲିଣି, ଆପଣମାନଙ୍କୁ କହିବାକୁ ଭୁଲିଯାଇଅଛି । ସେ କାଲିଠାରୁ ଡାଳିଯୋଡ଼ାରୁ ବାହାରିଲେଣି, ମୁଁ କହୁଛି କହ, ଏତେ ଡେରି କ୍ୟାଁ ହେଲା ? ଡାଳିଯୋଡ଼ାରୁ ଆସିବା ବାଟ ପାଖରେ ଯେ ବଡ଼ ପୋଖରୀଟିଏ ଅଛି, ସେହିଠାରେ ଗାଧୁଆ ପାଧୁଆ କରିବା ବିଳମ୍ବ ହୋଇଗଲା ।" ବାଘସିଂହ ଘର ଚାରି ଯାଆ ଏକ ଜାଗାହୋଇ ପରସ୍ପର ମୁହଁ ଚୁହାଁଚୁହିଁ ହେଲେ । ସେଥିରେ ଅର୍ଥ ଅଭ୍ୟାଗତା ଅନାହୂତା ସମୁନ୍ଧୁଣୀ ସମ୍ବନ୍ଧରେ କର୍ତ୍ତବ୍ୟ ନିରୂପଣ; ମାତ୍ର ମାଣିକ ଏକାବେଳେ ମୀମାଂସା କରିଦେଲା, "ଶୀଘ୍ର ଯାଇ ସମୁନ୍ଧୁଣୀଙ୍କୁ ପାଛୋଟି ଆଣନ୍ତୁ ।"

ବାଘସିଂହଙ୍କ ଦାଣ୍ତଦୁଆର କବାଟ ଫାଙ୍କରୁ ଫୁଲଗୁଣା ବସଣି ସହିତ ଦୁଇ ତିନିଗୋଟି ନାସିକା ଦୃଷ୍ଟ ହେଲା । ମାଉସୀ ଡୋଲିରୁ ଓହ୍ଲାଇ ପଡ଼ି ଗୁମ୍ ଗୁମ୍ କରି ଭିତରକୁ ପଶିଗଲେ । 'ସମୁନ୍ଧୁଣୀ ସମୁନ୍ଧୁଣୀ' କହି ପୂର୍ବୋକ୍ତ ବସଣିଧାରିଣୀମାନଙ୍କୁ ପରସ୍ତେ କୁଣ୍ଢାଇଗଲେ । ଗୃହାଧିଷ୍ଠାତ୍ରୀ ସାଆନ୍ତାଣୀମାନେ ନୀରବରେ ହସି ହସି ସମୁନ୍ଧୁଣୀ ହାତଧରି ଭିତରକୁ ଘେନିଗଲେ । ସମୁନ୍ଧୁଣୀଙ୍କ ଅଭ୍ୟର୍ଥନା ବିଷୟରେ ମାଣିକର ଉଦ୍‌ଯୋଗ ଅନୁଷ୍ଠାନ ବେଶି । ସେ ଆଗେ ଆଗେ ଚଞ୍ଚଳ ଧାଇଁଯାଇ ବାଘସିଂହ ପହୁଡ଼ ଘର ଆଗମେଲାରେ ଗୋଟିଏ ଚାରିହାତ ଲମ୍ବା ପୁରୁଣା ଖରଡ ପକାଇ ଦେଲା । ମାଉସୀ ସେଥିରେ ବସିପଡ଼ି ଚାରି ସମୁନ୍ଧୁଣୀଙ୍କ ହାତଧରି ପାଖରେ ବସାଇଲେ । ପାଞ୍ଚଟା ଭାର ମଝି ଅଗଣାରେ ଥୁଆଗଲା । ଭାରର ଡାବ - ପାଚିଲା ଆମ୍ବ ଏକଭାର, ବଡ଼ ବଡ଼ ଯୋଡ଼ାଏ ଖଜା ପଣସ ଏକ ଭାର, ପାଚିଲା କଞ୍ଚା କଦଳୀ ଦୁଇ ପୁଞ୍ଜା ସହିତ ଏକ ଭାର, ପିଠାଉ ପାଣିରେ ଧଉଳା କଦଳୀ ପତ୍ରରେ ମୁହଁ ବନ୍ଧା ବଡ଼ ବଡ଼ ଚାରି ହାଣ୍ତିକୁ ଦୁଇ ଭାର ଗାଏ ।