ପୃଷ୍ଠା:Chha mana atha guntha.pdf/୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ପୁଅ । ଏକ ପରସ୍ତରେ ସାଆନ୍ତ ସାଆନ୍ତାଣି ଓ ସାନଝିଅ ମାଳତି ଥାନ୍ତି, ବାହାର ପରସ୍ତ କଚେରୀ । କଚେରୀ ଘର ପାଞ୍ଚ ଶେଣିଆ, ଶେଣି ପଟାରେ ବାଘ, ହାତୀ, ବିରାଡ଼ି, ରାଧାକୃଷ୍ଣ, ମାଙ୍କଡ଼ ଖୋଳାଯାଇଅଛି । କାନ୍ଥ ସବୁରେ ନୀଳ, ଶୁକ୍ଳ, ରକ୍ତ, ହରୀତ, ପାଟଳ ବିବିଧ ରଂଗର ପଦ୍ମ, କହ୍ଲାର, କୁମୁଦ,ମାଳତି ପୁଷ୍ପମାଳା, ବାନରଯୁଥ, ରାକ୍ଷସ ଶ୍ରେଣୀ ସମ୍ବଳିତ ରାମ ରାବଣ ଯୁଦ୍ଧ ପ୍ରଭୁତି ପୌରାଣିକ ଘଟଣାମାନ ଅଙ୍କିତ ରହିଅଛି । ରାଜପୁତନାର କୌଣସି ସ୍ଥାନରେ ଗୋଟିଏ ଉଲଙ୍ଗ ସ୍ତୀ ମୂର୍ତ୍ତ ଦେଖି ଟଡ୍ ସାହେବ ଅନୁମାନ କରିଅଛନ୍ତି ଭାରତର ପୂର୍ବକାଳରେ ଅଙ୍ଗନାମାନେ ଉଲଙ୍ଗ ଥିଲେ । ହାୟ ! ହାୟ ! ଆମ୍ଭେମାନେ ମଙ୍ଗରାଜଙ୍କ କାନ୍ଥରେ ଚିତ୍ର ଦେଖାଇ ସାହେବଙ୍କ ମୂର୍ଖତା ଦୂର କରିପାରିଲୁ ନାହିଁ । ଭିତ୍ତିଚିତ୍ରିତ ସଖିମଣ୍ଡଳୀ ପରିବେଷ୍ଟିତ ରାଧିକାଙ୍କର ଗେରୁ ରଙ୍ଗରେ ହାଣ୍ଡିକଳା ବୁଟାଦାର ଘାଗରା ଦେଖିଲେ ଅବଶ୍ୟ ସାହେବଙ୍କର ମୂର୍ଖତା ଓ ଭ୍ରାନ୍ତି ବିଦୁରିତ ହୋଇଥାନ୍ତା । ଏହି ସମସ୍ତ ଚିତ୍ର ଅଙ୍କିତ କରାଇବା ନିମନ୍ତେ ଅନ୍ୟଦେଶରୁ ଚିତ୍ରକାର ଲୋଡ଼ିବାକୁ ହୋଇନାହିଁ । ସମସ୍ତ କାଯ୍ୟ ଚଂପାଙ୍କର ହୃହସ୍ତ ସଂପାଦିତ ଅଟେ । ଚଂପା ଏତେ ପ୍ରକାର ପଶୁର ଛବି ଚିତ୍ର କରିପାରେ ଯେ ସେପରି ପୂର୍ବର କଲିକତା ଜୁଲଜିକେଲ ଉଦ୍ୟାନରେ (ଚିଡ଼ିଆଖାନା)ତୁମ୍ଭେ ଖୋଜି ପାଇବନାହିଁ ।

ମଙ୍ଗରାଜ ଉଆସ ଲଗାଲଗି ପଛରେ ଗୋଟିଏ ବଡ଼ ବଗିଚା, ବାଡ଼ିଦୁଆର ଚାରି ପାଖରେ ଗୋଟିଏ, ପୋଖରୀ ----ପୋଖରୀ ଚାରିପାଖରେ ନଡ଼ିଆ ଗଛ, ତା ପଛକୁ କଦଳୀ, ଆମ୍ବ, ପଣସ, ଓଆଉ ଗଛ । ବଗିଚା ପଗାର ଚାରିପାଖ ସୁନାର ଖାଇ ବାଉଁଶ ବାଡ଼ ପ୍ରାଚୀର ପରି ବେଢ଼ି ରହିଅଛି । ମଙ୍ଗରାଜଙ୍କ ପରି ନିସ୍ୱାର୍ଥ ଲୋକ ଦୁନିଆରେ ଅଳ୍ପ ଦେଖିବ । ତାଙ୍କର ସବୁ କାର୍ଯ୍ୟ ପରୋପକାର ନିମନ୍ତେ । ସାଆନ୍ତଙ୍କର ଏହିବଡ଼ ବଗିଚାଟି ଗୋବିନ୍ଦପୁର ହାଟର ସ୍ଥିତି ଓ ଉନ୍ନତିର ମୂଳାଧାର ଅଟେ । ବଗିଚାର ନଡ଼ିଆ, କଦଳୀ, ବାଇଗଣ, କଖାରୁ, ଖଡ଼ାଠାରୁ ଲଙ୍କାମରିଚ ପର୍ଯ୍ୟନ୍ତ ନ ଯାଉଥିଲେ ହାଟର ଏଡ଼େ ଜାରି ଦେଖନ୍ତି ନାହିଁ । ସାଆନ୍ତଙ୍କ ବଗିଚାର ପରିବା ବିକା ନ