ପୃଷ୍ଠା:Chha mana atha guntha.pdf/୯୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଲାଜ ନ ହେଲା, ଧିକ ତା ଜୀବନ, ଛାଡ଼ ତା କଥା।" ଝିଆରୀ ତ ମାଉସୀ କଥା ଶୁଣି ଆହୁରି ଢାଙ୍କି ଢୁଙ୍କି ହୋଇ ବେଙ୍ଗୁଲି ପରି ବସିଲା । ଟାଙ୍ଗୀରେ ତାହାର ଗୋଟାଏ ମାଉସୀ ଘର ଥିବାର ସେ ଥରେ ଶୁଣିଥିଲା । ସେ ତା ମାଆର ଖୁଡୁତା ଝିଅ ଭଉଣୀ । ମନରେ ବୁଝିଲା, ଏ ସେହି ମାଉସୀ ।

ତାହା ବାଦ୍ ବୋହୂମାଉସୀ ହସି ହସି ସମୁନ୍ଧୁଣୀମାନଙ୍କ ସହିତ କଥାବାର୍ତ୍ତା କଲେ, ସମୁନ୍ଧୁଣୀ ସମୁନ୍ଧୁଣୀ କଥା, ହସକୌତୁକ କଥା, ଟାପରା ଟାପୁରୀ କଥା ଢେର ହେଲା । ଆପଣଙ୍କର ସେ ସମସ୍ତ କଥା ଶୁଣିବାକୁ ଇଚ୍ଛା ଥାଇପାରେ; ମାତ୍ର ଭଲ ଲୋକଘର ବୋହୂ ଭୁଆସୁଣୀ କଥା ପ୍ରକାଶ କରିବାକୁ ଆମ୍ଭେମାନେ ନିତାନ୍ତ ନାରାଜ । ତେବେ ଆପଣ ଯଦି ଶୁଣିବାକୁ ନିତାନ୍ତ ଇଚ୍ଛା କରନ୍ତି; ଆଉ ଯାହା କହିଲେ କୌଣସି ଦୋଷ ନାହିଁ, ତେତିକି କଥା କହିପାରୁ । ବୋହୂମାଉସୀ କହିଲେ --
"ଏ ବରଷ ଭାରି ଯୋଗ ପଡ଼ିଛି, ସମସ୍ତେ ବଳଦେବ ଯାତ ଦେଖିବାକୁ ଧାଇଁଛନ୍ତି, ଆମ ଗାଁ ତ ଶୂନଶାନ । ମୁଁ କହିବି, ଆଚ୍ଛା, ବେଳ ପଡ଼ିଲା, ଦିଅଁ ଦେଖା, ସମୁନ୍ଧୁଣୀ ଭେଟ ଏକ ସାଙ୍ଗରେ ହୋଇଯିବ । ଝିଆରିଟି କେମନ୍ତ ଅଛି ଦେଖିବି । ସମସ୍ତଙ୍କୁ ଦେଣ୍ଟରେଇ ହେଣ୍ଟରେଇ ଘରୁ କାଢ଼ିଲି । ଆମର ସେମାନେ ଆଉ ଭିଣୋଇ ସାଆନ୍ତ ଗୋଟାଏ ଗୋଟାଏ ଘୋଡ଼ାରେ ଚଢ଼ି ଦାଣ୍ତେ ଦାଣ୍ତେ ଆଗରେ ଯାଇ ତୋଟାରେ ବସିଛନ୍ତି । ଭଣ୍ତାରୀ ଗଉଡ଼ ସମସ୍ତେ ସେମାନଙ୍କ ସାଙ୍ଗରେ । ମୁଁ କହିଲି ଝିଅଟିକୁ ନ ଦେଖି ଯିବି ନାହି । ଏକାବାହାରି ଆସିଲି । କାଲି ଦର୍ଶନସାରି ସମସ୍ତେ ଏହିବାଟେ ବାହୁଡ଼ିବା । ବାଟରେ ଶୁଣିଲି ସମୁନ୍ଧିମାନେ ଯାତ ଦେଖି ଯାଇଛନ୍ତି, ଭଲ ହେଲା, ସମସ୍ତେ ସାଙ୍ଗ ହୋଇ ଆସିବା । ଦେଖ ସମୁନ୍ଧୁଣୀ ତୁମ୍ଭମାନଙ୍କ ସଙ୍ଗରେ ଦୁଃଖ ସୁଖ କଥା, ହସକୌତୁକ କଥା କିଛି ହୋଇପାରିଲା ନାହିଁ । ଫେରିବାବେଳେ ଏହିଠାରେ ଚାରିଦିନ ରହିଯିବ । ଭିଣୋଇ ସାଆନ୍ତେ କହୁଥିଲେ, କେବଳ ଦିନେ ରହିବେ । ଦେଖିବଟି ଭଲା, କିପରି ଚାରିଦିନ ନ ରହିବେ, ଅଣ୍ଟିରେ ହାତ ପୁରାଇଦେବିପରା । ଝିଆରୀ ମୁଣ୍ତରେ ହାତ ବୁଲାଇ କହିଲେ, "ମା'ରେ, ଝିଅରେ, ଆହା ! ପିଲାଲୋକ, କେଜାଣି ଚିହ୍ନିପାରିବୁ ନାହିଁ, ଢେର ଦିନ ହେଲା ଦେଖିନାହୁଁ, ମୁଁ ଫେରି ଆସେ