ପୃଷ୍ଠା:Chha mana atha guntha.pdf/୯୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଷ୍ଟାଦଶ ପରିଚ୍ଛେଦ

ସାଆନ୍ତାଣି :

"ସର୍ବେ ଚଳିବେ କାଳବେଳ, କଥା ରହିବ ମହୀକତଳେ ।"

ଶ୍ରାବଣ ମାସ ରାଧାଷ୍ଟମୀ ଦିନ, ଖୁବ୍ ଭୋର, ଅଳ୍ପ ଅଳ୍ପ ଅନ୍ଧାର ଅଛି, ଲୋକମାନେ ବିଛଣା ଛାଡ଼ି ନାହାନ୍ତି । ଅବଶ୍ୟ ଅନେକ ଲୋକଙ୍କ ନିଦ ଭାଙ୍ଗିଲାଣି; ମାତ୍ର ଖୁବ୍ ଦରକାର ନଥିଲେ ବର୍ଷା ଆଉ ଶୀତ ଋତୁର ପାହାନ୍ତି ବିଛଣାଟା ଲୋକମାନଙ୍କୁ ଟିକିଏ ଟାଣି ଧରେ । ମଙ୍ଗରାଜଙ୍କର ପୋଇଲୀ ମରୁଆ ଢାଳଟିଏ ଡେବିରି ହାତରେ ଧରି ଖାଇବା ହାତରେ କବାଟ ଫିଟାଇ ଘରୁ ବାହାରି ପଡ଼ିଲା । ହଠାତ୍ ତାହାର ଦୃଷ୍ଟି ଚଉରା ଉପରେ ପଡ଼ିଗଲା, ସେ ଥକାହୋଇ ଠିଆ ହୋଇଗଲା । ଧଳାଟାଏ କଣ ? ତୁଳସୀ ଚଉରାଟା ମଙ୍ଗରାଜଙ୍କ ମଝିଅଗଣା ମଧ୍ୟରେ । ସାଆନ୍ତାଣିଙ୍କ ନିଜସ୍ୱ ମଧ୍ୟରେ ଚଉରାଟା । ବୃନ୍ଦାବତୀ ପୂଜା ତାହାଙ୍କ ଜୀବନର ବ୍ରତ । ତୋଟା ମଧ୍ୟରେ ପୁଆଟିଏ ଆଣି ନିଜେ ରୋଇଛନ୍ତି । ସକାଳୁ ଉଠି ଚଉରା ଚାରିପାଖ ଖରକିବା, ଗୋବର ପାଣିରେ ଛୂଞ୍ଚଦେବା, ଗାଧୋଇ ଆସି ମୂଳରେ ପାଣି ଦେବା, ଅରୁଆ ଚାଉଳ ପୁଞ୍ଜାଏ ଭୋଗ ଦେବା, ସଞ୍ଜ ଦେବା, ଏହିସବୁ କାର୍ଯ୍ୟ କରୁ କରୁ ଦିନ ଅଣ୍ଟେ ନାହିଁ । ସଞ୍ଜ ଦେଇସାରି ବେକରେ ପଣନ୍ତ କାନି ପକାଇ ପୂରା ଅଧ ଘଡ଼ିଏ ଜୁହାର ହୁଅନ୍ତି ତୁନି ତୁନି କଣ କହନ୍ତି ବୃନ୍ଦାବତୀଙ୍କୁ ଜଣା ।

ମରୁଆ ଧୀରେ ଧୀରେ ଚଉରା ପାଖକୁ ଯାଇ ଭଲ କରି ଅନାଇଲା ଏଁ, ଏ କଣ ? ସାଆନ୍ତାଣିକଏଁ - ସାଆନ୍ତାଣିଏଁ - ସାଆନ୍ତାଣିଏଁ - ଉତ୍ତର ନାହିଁ । ମରୁଆ ଢାଳଟି ତଳେ ଥୋଇଦେଇ ଦେହରେ ହାତ ଦେଇ ହଲାଇଲା । ରାତିରେ ଅସ୍ରାଏ ପାଣି ବର୍ଷିଯାଇଛି । ଲୁଗାପଟା ଓଦା, କାଦୁଅ ଲଟପଟ, ଦେହଟା କାଠ ପରି ହୋଇଯାଇଛି, କୁଆପଥର ପରି ଶୀତଳ । ମରୁଆ ଗୋଟାଏ