ପୃଷ୍ଠା:Chha mana atha guntha.pdf/୯୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଭୟଙ୍କର ରଡ଼ି ଛାଡ଼ି ବାହୁନି ବସିଲା --"ମୋ ସାଆନ୍ତଣି ଗୋ; ମୋ ସାଆନ୍ତାଣି ! କାହିଁ ହୁଡ଼ିଗଲ, ମୋ ସାଆନ୍ତାଣି, ପିମ୍ପୁଡ଼ି ପେଟବଥା କଥା କିଏ ଜାଣିବ, ମୋ ସାଆନ୍ତାଣୀ ଗୋ ! ମୋତେ ଜର ହେଲେ କିଏ ପଥି ରାନ୍ଧି ଖୁଆଇବ, ମୋ ସାଆନ୍ତାଣି ଗୋ ! ମରୁଆ ପାଟି ଶୁଣି ଉଆସର ସମସ୍ତେ ଧାଇଁ ଆସିଲେ, ଅଗଣା ପୂରିଗଲା । ସମସ୍ତେ ବାହୁନି ବସିଲେ, ବୋହୂମାନଙ୍କ ମୁଣ୍ତରେ ଲୁଗା ନାହିଁ, କାନ୍ଦି ଲୋଟି ଯାଉଛନ୍ତି । ସମସ୍ତଙ୍କଠାରୁ ବେଶି ବାହୁନିଲା ଚମ୍ପା । ସେ ବାଡ଼ି ଦୁଆରଠାରୁ ଦାଣ୍ତ ଦୁଆର ପର୍ଯ୍ୟନ୍ତ ଧାଁଦଉଡ଼ କରି ଡାକ ଛାଡ଼ିଥାଏ । ସମସ୍ତେ କାନ୍ଦି ବସିଛନ୍ତି; କିଏ କାହାକୁ ତୁନି କରାଉଛି ? ମୁହୂର୍ତ୍ତ ମଧ୍ୟରେ ଗାଁ ଏ ମୁଣ୍ତ ସେମୁଣ୍ତ ବିଦ୍ୟୁତ୍ ଗତିରେ ଖବର ହୋଇଗଲା । ସ୍ତ୍ରୀ ଲୋକମାନେ ବାସିପାଇଟି ଛାଡ଼ି, ପୁରୁଷମାନେ ଦୁଃଖ ଧନ୍ଦାଛାଡ଼ି ସାଆନ୍ତାଣିଙ୍କ ଗୁଣ ଗାଇ ବସିଲେ । ନିତାନ୍ତ ନିଃସମ୍ପର୍କୀୟା ସ୍ତ୍ରୀମାନେ ମଧ୍ୟ କାନ୍ଦିପକାଇଲେ । କେହି କହିଲା--ଆଜି ମହାଷ୍ଟମୀ, ପୁଣ୍ୟଦିନରେ ଗାଁରୁ ଲକ୍ଷ୍ମୀ ଚାଲିଗଲେ । କେହି କହିଲା ମଙ୍ଗରାଜଙ୍କ ଘର ବଢ଼ନ୍ତି ଏତିକି, ଆଜିଠାରୁ ଶିରୀ ଛାଡ଼ିଲା । ଗାଁ ସ୍ତ୍ରୀମାନଙ୍କ ମଧ୍ୟରେ ସ୍ୱାମୀସେବା କଥା ପଡ଼ିଲେ, ସାଆନ୍ତାଣୀଙ୍କୁ ପଟାନ୍ତର ଦେଉଥିଲେ । ତାହାଙ୍କ ଚରିତ୍ର ଯେମନ୍ତ ନିର୍ମଳ, ଧର୍ମରେ ସେହିପରି ମତି । ସ୍ତ୍ରୀମାନଙ୍କ ସର୍ବସ୍ୱ ଧନ 'ପତିସୋହାଗ' ବିଧାତା ତାହାଙ୍କ କପାଳରୁ ପୋଛି ଦେଇଥିଲା; ମାତ୍ର ସେଥିକି ତାଙ୍କର ଶୋଚନା ନ ଥାଏ । ସେ ମନରେ ଭଲକରି ବୁଝିଥିଲେ, ପତି ସେବା ସ୍ତ୍ରୀମାନଙ୍କର ଧର୍ମ, ପତି ସେବାରେ ସ୍ତ୍ରୀମାନଙ୍କର ସୁଖ । କେବଳ ପତିସେବା ନୁହେଁ, ମନୁଷ୍ୟ ସେବାକୁ ମଧ୍ୟ ସେ ମଧ୍ୟ ସେ ମହାସୁଖକର ଜ୍ଞାନ କରୁଥିଲେ । ମୁଣ୍ତକୁ ହାତ ପାଇଲା ଦିନୁ ପୁଅମାନେ ପାଖ ପଶନ୍ତି ନାହିଁ । ବୋହୂମାନେ ଯେ ଅମାନ୍ୟ କରନ୍ତି ତାହା ନୁହେଁ, ମାତ୍ର ମୁରବୀ ମାନ୍ୟଟା ଥିଲା ନାହିଁ । ଶାଶୁ ବାଧିକି ପଡ଼ିଛନ୍ତି ବୋଲି ଯେ ବୋହୁମାନେ ତେଲ ହାତଟା ଗୋଡ଼ରେ ହାତରେ ବୁଲାଇ ଦେଇଛନ୍ତି, ଏ କଥାଟା କେବେ ଦେଖିବାରେ ଆସି ନାହିଁ । ଏଇଟା କିନ୍ତୁ ସାଆନ୍ତାଣିଙ୍କ ନିଜ କୃତ ଦୋଷର ଫଳ । ଘରଣୀପଣିଆ ଜଣାଇବା, ପୁଅ ବୋହୂ, ଚାକର, ପୋଇଲୀମାନଙ୍କୁ ଶାସନରେ ରଖିବାର କ୍ଷମତା