ପୃଷ୍ଠା:Chha mana atha guntha.pdf/୯୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ତାଙ୍କର ନଥିଲା । ସେ କଥାଟାକୁ ସେ ମଧ୍ୟ ସୁଖ ପାଉ ନ ଥିଲେ । ତାଙ୍କଠାରେ ଧୁଆ ମୂଳା ଅଧୁଆ ମୂଳା ସମାନ । ତାଙ୍କୁ ଯେ ମାନିଲା ଭଲ, ଯେ ନ ମାନିଲା ସେ ମଧ୍ୟ ଭଲ । କେହି ଦଶ ପଦ ଗାଳି ଦେଉ ଜାଡ଼ି ହାଉଡ଼ି ପରି ଥାଆନ୍ତି । ଶାଳଗ୍ରାମର ଶୋଇବା ବସିବା ପରି ତାଙ୍କ ହସ କାନ୍ଦ କେହି ଜାଣିପାରିବେ ନାହିଁ । କାହାରି ସଙ୍ଗରେ କଳି କିମ୍ବା କାହାରି ସଙ୍ଗରେ ଭାବ ନାହିଁ । କାହାରି ପାଖରେ ବସି ଦୁଃଖ ସୁଖ ଦୁଇଟା କଥା କହିବାର କେହି ଦେଖିନାହିଁ । କେବଳ ଉଆସ ମଧ୍ୟରେ କାହାରି ବେମାର ହେଲେ ଦିନ ନାହିଁ ରାତି ନାହିଁ, ଜଗି ବସି ସେବା କରନ୍ତି । ବେମାରି ସମୟରେ ପୋଇଲି ହେଉ ବା ବୋହୂ ହେଉ, ନାହିଁ କରୁ କରୁ ଗୋଡ଼ରେ, ହାତରେ ହାତ ବୁଲାଇଦେବେ । ବାହାରେ ହେଉ, ଘରେ ହେଉ, କେହି ଉପାସ ଥିଲେ ତାକୁ ନ ଖୁଆଇ ଜଳ ଛୁଅନ୍ତି ନାହିଁ । ଗାଁର ଦରିଦ୍ର ବୁଢ଼ୀ ବା ଅନାଥା ବିଧବାଙ୍କର ସର୍ବଦା ଖବର ନିଅନ୍ତି । କାହାରି ଘରେ ଖାଇବାକୁ ନ ଥିବାର ଶୁଣିଲେ ସାଆନ୍ତକୁ ଲୁଚାଇ, ପୁଅବୋହୂଙ୍କୁ ଲୁଚାଇ, ଚାଉଳ ମାଣେ, ବିରିଜାଇ ମୁଠାଏ, ଲୁଣ ବକଟେ, ତେଲ ଟିକିଏ, କଖାରୁ ଖଣ୍ତେ, ଭେଣ୍ତି ଜହ୍ନି ପୁଞ୍ଜାଏ, ଯାହାର ଯାହା ଦରକାର ପଠାଇ ଦିଅନ୍ତି । ଗାଁର କାହାରି ବୋହୂଝିଅ ଦେହକୁ ଲାଗିଲେ ପୋଇଲି ପଠାଇ ତନଖି କରନ୍ତି । ଦେଉନ୍ତୁ ନ ଦେଉନ୍ତୁ, ଗରିବ ଦୁଃଖୀମାନଙ୍କର ତାଙ୍କଠାରେ ଗୋଟାଏ ବଡ଼ ଆଶା ଭରସା ଥାଏ । ଅନେକ ପରଜାଏ ଖାତକ, ଅନେକ ଦରିଦ୍ର ପ୍ରଜା ସାଆନ୍ତାଣୀଙ୍କ ଯତ୍ନରେ ମଙ୍ଗରାଜଙ୍କ ଦାଢ଼ରୁ ମୁକ୍ତି ପାଇଥିବାର ଶୁଣାଯାଏ । ମଙ୍ଗରାଜେ କାହାରି ଉପରେ ଜୁଲମ କଲେ ସେ ଯଦି ବୋହୂ ଝିଅ ପଠାଇ ସାଆନ୍ତାଣୀଙ୍କ କାନରେ ଦୁଃଖ କଥାଟା ବଜାଇପାରିଲା, ତେବେତ ବାସ୍ । ସେଥିସକାଶେ ମଙ୍ଗରାଜଙ୍କଠାରୁ ଢେର୍ ଗାଳି ଗଞ୍ଜଣା ଶୁଣିବାକୁ ହୁଏ । ଚମ୍ପା ଟାହୁଲି ମାହୁଲି କେତେ କଥା କହେ; ମାତ୍ର ସାଆନ୍ତାଣୀ ତେତେବେଳେ କାଲୁଣୀ । କାହାରି ଉପକାର କରିପାରିଲେ କୋଟିନିଧି ପାଆନ୍ତି । ଶିବୁ ପଣ୍ତିତେ ସାଧୁ ଭାଷାରେ କହନ୍ତି, 'ସାଆନ୍ତାଣୀ ଦୟା, ସ୍ନେହ, ଭକ୍ତି ପ୍ରଭୃତି ସ୍ୱର୍ଗୀୟ ଗୁଣାବଳୀର ମୁର୍ତ୍ତିମତୀ ଦେବୀ ।'