Jump to content

ପୃଷ୍ଠା:Chha mana atha guntha.pdf/୧୦୨

ଉଇକିପାଠାଗାର‌ରୁ
(ପୃଷ୍ଠା:Chha mana atha guntha.pdf/102ରୁ ଲେଉଟି ଆସିଛି)
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏବଂ ମନୁଷ୍ୟାଣାଂ ଚତୁବର୍ଗଫଳପ୍ରଦା । "ଦିବା-ରାତ୍ର ତାଙ୍କର ଟଙ୍କା ଥିଲା ଧ୍ୟାନ - ଟଙ୍କା ଥିଲା ଜ୍ଞାନ । ସେ ତୁନି ହୋଇ ବସି ଭାବିବାର ଅନେକଥର ଦେଖାଯାଇଛି; କିନ୍ତୁ ସେ ସମୟରେ ଏକ ପ୍ରକାର ଜ୍ୟୋତି ତାଙ୍କ ଆଖିରୁ ବାହାରୁଥାଏ । ସମୁଦ୍ର ଗର୍ଭଜାତ ଉତ୍ତାଳ ତରଙ୍ଗମାଳା ବେଳାଭୂମିରେ ପଡ଼ି ଲୀନ ହୋଇଗଲା ପରି ହୃଦୟଜାତ ନାନା ଆଶା, ନାନା ଚିନ୍ତାର ତରଙ୍ଗ ଆସି ଭ୍ରୂଲତାର ଉପରିଭାଗରେ ରେଖାକାର ଧରି ଲୀନ ହେଉଥାଏ । ଆଜି ଭାବନା କିନ୍ତୁ ଅନ୍ୟ ରୂପ । ନେତ୍ର ଅର୍ଦ୍ଧ ନିମୀଳିତ, ସ୍ପନ୍ଦନ ଶୂନ୍ୟ, ଅଶ୍ରୁସିକ୍ତ । ମଙ୍ଗରାଜ କି ସାଆନ୍ତାଣୀଙ୍କ ସକାଶେ କାନ୍ଦୁଛନ୍ତି ? ପ୍ରିୟ ବସ୍ତୁର ବିୟୋଗ ମନୁଷ୍ୟ ପକ୍ଷରେ ଅସହ୍ୟ । ମଙ୍ଗରାଜ କି ପବିତ୍ର ଦାମ୍ପତ୍ୟ ପ୍ରେମର ସ୍ୱର୍ଗୀୟମାଧୁରୀ ଅନୁଭବ କରୁଥିଲେ ? କାହିଁ ? ସେ ସାଆନ୍ତାଣୀଙ୍କୁ ପ୍ରେମରେ ଦୁଇଟା କଥା କହିବାର ତ କେହି କେବେ ଶୁଣି ନାହିଁ । ତେବେ ଆଜି ଏତେ ବ୍ୟାକୁଳ କି ପାଇଁ ? ଯାହାହେଉ ସାଆନ୍ତଣୀଙ୍କ ବିଚ୍ଛେଦ ଯନ୍ତ୍ରଣା ଯେ ସେ ଅନୁଭବ କରିଅଛନ୍ତି,ସହଜ ବିଶ୍ୱାସରେ ଆମ୍ଭମାନେ ଏହା ବୋଧ କରୁଅଛୁ । ଯାହାକୁ ଆଠକଳସ ମାଡ଼ି ବେଦି ଉପରେ ବିବାହ କରି ଅର୍ଦ୍ଧାଙ୍ଗ ରୁପେ ଗ୍ରହଣ କରି ଅଛି, ସେ ଭଲ ହେଉ ବା ମନ୍ଦ ହେଉ ତା'ପ୍ରତି ଗୋଟାଏ ମାୟା ଥାଏ । ଏହି ନୈସର୍ଗିକ ମାନବ ଧର୍ମ ଅତିକ୍ରମ କରିବା ସହଜସାଧ୍ୟ ନୁହେଁ ଯେ ସ୍ତ୍ରୀ ଧର୍ମକାର୍ଯ୍ୟର ସହଧର୍ମିଣୀ - ପ୍ରାଣାଧିକ ସନ୍ତାନ ସନ୍ତତିଙ୍କ ଜନନୀ, ଯେ ସ୍ତ୍ରୀ ସୁଖ ବା ଦୁଃଖରେ ଏକମାତ୍ର ସମଭାଗିନୀ, ଯେ ସ୍ତ୍ରୀ ରୋଗରେ ଶୁଶ୍ରୁଷାକାରିଣୀ, ବିପଦରେ ମନ୍ତ୍ରୀ, ଶରୀରରକ୍ଷାରେ ଧାତ୍ରୀ ତୁମ୍ଭେ ଯଦି ନିତାନ୍ତ ପାଷାଣ୍ତ ହୁଅ, ତାହାର ଗୁଣ ଗାରିମା ଅନୁଭବ କରିବାର ଶକ୍ତି ଯଦି ନିତାନ୍ତ ତୁମ୍ଭର ନଥାଏ -ଜୀବନ କାଳରେ ତାହାକୁ ପ୍ରେମ କର ଅବା ନ କର; କିନ୍ତୁ ତାହାର ବିଚ୍ଛେଦ ଯନ୍ତ୍ରଣା ଅବଶ୍ୟ ଭୋଗ କରିବାକୁ ହେବ । ଆଉ ସାଧ୍ୱୀ, ସଚ୍ଚରିତ୍ରା, ପତିପରାୟଣା, ଧାର୍ମିକ ସ୍ତ୍ରୀର ଗୁଣ ଗାରିମା ଯେଉଁ ଲୋକ ଥରେ ମାତ୍ର ହୃଦୟରେ ଅନୁଭବ କରୁଅଛି ତାହାର ବିଚ୍ଛେଦ ଯନ୍ତ୍ରଣା ଯେ କି ରୂପ ଅସହ୍ୟ ତାହା ବର୍ଣ୍ଣନା କରିବାକୁ ଭାଷାର ସୃଷ୍ଟି ହୋଇନାହିଁ । ତାହା ସ୍ତ୍ରୀ