Jump to content

ପୃଷ୍ଠା:Chha mana atha guntha.pdf/୧୪୭

ଉଇକିପାଠାଗାର‌ରୁ
(ପୃଷ୍ଠା:Chha mana atha guntha.pdf/147ରୁ ଲେଉଟି ଆସିଛି)
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚତୁର୍ବିଂଶ ପରିଚ୍ଛେଦ

ଖୁଣି ତଦାରଖି :

ବେଳ ଅନୁମାନରେ ପହରେ କି ଛ ଘଡ଼ି, ଆଜି ବର୍ଷା ନାହିଁ, ଗୋପୀ ସାହୁ ଦୋକାନୀ ଚିରା ଗଣ୍ଠୁଳି କଳାକନା ପରି ଗାମୁଛା ଖଣ୍ତିଏ ମୁଣ୍ତରେ ପକାଇ ଦୋକାନ ଟୋକେଇ କାନ୍ଧରେ କଞ୍ଚିଟା ହାତରେ ଧରି ଦୋକାନକୁ ଆସିଲା । ଦୋକାନ ଫିଟାଇ ମେଲା ଘରକୁ ଅନାଇଦେଲା । ଯାହା ଦେଖିଲା, ସେଥିରେ ତାକୁ ପ୍ରାୟ ଝାମ୍ ମାରିଗଲାଣି, କାଠଟି ପରି ଛିଡ଼ାହୋଇଛି, ପାଟିରେ କଥାନାହିଁ । କେବେ ଦେଖା ନାହିଁ, କେବେ ଶୁଣା ନାହିଁ, ଗୋଟିଏ ସ୍ତ୍ରୀ ଲୋକ ଚାଳକୁ ଚାହିଁ ମରିପଡ଼ିଛି, ଘରସାରା ରକ୍ତମୟ, ଖଲିପତ୍ରରେ ରକ୍ତ, ଚୁଲୀ ମୁହଁରେ ରକ୍ତ ଭାତ ହାଣ୍ତିରେ ରକ୍ତ, ପିଚକାରୀ ମାରି କାନ୍ଥ ବାଡ଼ରେ ଝୋଟି ଦେଲାପରି ହୋଇଯାଇଛି । ଗୋପୀ ଧାଇଁ ଯାଇଁ ଗାଁରେ କହିଲା । ଗାଁ ଲୋକ ଧାଇଁଲେ । ଗାଁ ଛାଟିଆ ସନ୍ତିଆ ଜେନା ଫାଣ୍ତିକୁ ଏତଲା ଦେବାକୁ ଧାଇଁଲା । ମକ୍ରାମପୁରରେ ବାଲାଗସ୍ତି ଫାଣ୍ତି ଗୋପାଳପୁରଠାରୁ ଦେଢ଼କୋଶ ଦୂର । ବେଳ ତିନିପ୍ରହର ସମୟରେ ବାଲାଦସ୍ତି ଜମିଦାର ସେଖ୍ ତୋରାବଲ୍ଲି, ବରକନ୍ଦାଜ ଫତୁ ଖାଁ ଘଟନା ସ୍ଥାନରେ ଆସି ଉପସ୍ଥିତ ହେଲେ । ସେଖ ତୋରାବଲ୍ଲି ଜଣେ ରବେୟା ହାକିମ । ଆଖ ପାଖ ଚାରିକୋଶରେ ତାଙ୍କ ନାମ ଶୁଣିଲେ ଲୋକେ ଥରନ୍ତି; ଗର୍ଭିଣୀ ଗାଈ ବାଟ ଛାଡ଼ିଦିଏ । ଜମିଦାର ସାହେବ ସରଜମନରେ ଉପସ୍ଥିତ ହୋଇ ଦାଢ଼ି ଆଉ ନାକ ଘୋଡ଼ାଇ ଲାସ୍ ମାଇନା କରିବାକୁ ଗଲେ । ଲାସ୍ ଗୋଟିଏ ସ୍ତ୍ରୀ ଲୋକ, ପାଟ ଶାଢ଼ୀ ଖଣ୍ତେ ପିନ୍ଧିଛି, ହାତରେ ବେକରେ ରୁପା ଓ ସୁନାର କେତେଖଣ୍ତ ଅଳଙ୍କାର । ପଠାଣମାନେ କୁକୁଡ଼ା ଜଭେ କଲାପରି ତାହା ବେକକଟା, ପାଖରେ ଖଣ୍ତେ ରକ୍ତବୋଳା ଖୁର ପଡ଼ିଛି, ଲାସ୍‌ଟା ଚାରି ଆଙ୍ଗୁଳି ଜିଭ କାଢ଼ିପକାଇ କାମୁଡ଼ି ଦାନ୍ତ ନିସାଡ଼ି ଦେଇଅଛି, ଚାଳକୁ ତରାଟି ଚାହିଁଅଛି, ବାଳମୁକୁଳା, ରକ୍ତରେ ଲଟପଟ, ଦୁଇପାଖରେ ଚାରି ଆଙ୍ଗୁଳ ବହଳରେ ରକ୍ତ ପଚି କାଳିଆ ପଡ଼ିଗଲାଣି, ସେଥିରୁ ଗୋଟାଏ ଉତ୍କଟ ଦୁର୍ଗନ୍ଧ ବାହାରୁ ଅଛି । ଗାଲ ଦୁଇଟା ଓଆଉପରି ଓ ପେଟଟା ଗୋଟାଏ ଓଳିଆପରି ଫୁଲଗଲାଣି । ଦେଖାଗଲା, କୌଣସି ଲୋକ ତାହା ବାଳ