Jump to content

ପୃଷ୍ଠା:Chha mana atha guntha.pdf/୧୬୦

ଉଇକିପାଠାଗାର‌ରୁ
(ପୃଷ୍ଠା:Chha mana atha guntha.pdf/160ରୁ ଲେଉଟି ଆସିଛି)
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉପସଂହାର

ତିନି ମାସ ତଳେ ତୁଳସୀ ଚଉରା ପାଖରେ ସାଆନ୍ତାଣୀ ଯେପରି ପଡ଼ିଥିବାର ଦେଖାଯାଇଥିଲା, ଠିକ୍ ସେହି ସ୍ଥାନରେ, ଠିକ୍ ସେହିପରି ଉତ୍ତରକୁ ମୁଣ୍ତ କରି ପୁରୁଣା କତରାଖଣ୍ତକରେ ମଙ୍ଗରାଜେ ପଡ଼ିଛନ୍ତି । ହାତ ଗୋଡ଼ ନଡ଼ ବଡ଼ ହେବାକୁ ନାହିଁ, ଆଖିରେ ପଲକ ପଡୁ ନାହିଁ, ଏକଧ୍ୟାନରେ ଉପରକୁ ଚାହିଁରହିଛନ୍ତି । ଶିବା ଚମାର, କାର୍ତ୍ତିକ ନାୟକ ଦୁଇ ଜଣ ବୈଦ୍ୟ ଲାଗିଥିଲେ, କାଲି ରାତିରୁ ଜବାବ ଦେଇ ଅଲଗା ହୋଇଗଲେଣି, ଗୋପୀଆ ତନ୍ତୀ ହାତ ଲଗାଇଛି । ଗୋପୀଆ ତନ୍ତୀ ଓରଫ ଗୋପୀ କବିରାଜ ଜଣେ ଡାକଫୁକାର ଟାଣୁଆ ବୈଦ୍ୟ । ଚାରି ଖଣ୍ତ ଗ୍ରାମର ଲୋକେ ତାହାକୁ ଜାଣନ୍ତି, ଦିନ ରାତି ତାହାର ନାକ ପୋଛିବାର ତର ଥାଏ ନାହିଁ, ସକାଳୁ ଉଠି ପାଛୁଡ଼ାଟା ଅଣ୍ଟାରେ ଭିଡ଼ିଦେଇ କାନ୍ଧରେ ନାଲିଆ ଗାମୁଛା ପକାଇ କାଖ ତଳେ ଔଷଧ ବଟୁଆ ଝୁଲାଇ, ବାଙ୍କ ମୂଳିଆ ବାଉଁଶ ବାଡ଼ି ହାତରେ ଧରି ରୋଗୀ ଖୋଜିବାକୁ ବାହାରେ । ବଟୁଆ ମଧ୍ୟରେ ବାସ୍ତରୀ ନିଦାନ ରୋଗର ଔଷଧ ବଟିକା ଅଲଗା ତସର ଲୁଗାରେ ସାଇତା ଅଛି । ଗୋପୀର ଦଦେଇ ଜଣେ ନାମଜାଦା ବୈଦ୍ୟ ଥିଲେ, ତାଙ୍କ ଔଷଧ ରୋଗୀ ଦେହରେ ଚକମକି ପଥରପରି ଲାଗିଯାଏ । ତାଙ୍କ ହାତ ତିଆରି ବଟିକା ଗୋପୀ ଆଜିଯାଏ ସାଇତି ରଖିଅଛି ।

ଗୋପୀ ମଳୁବିଛଣା ଡାହାଣ ପାଖରେ ବସି ଢେର୍ ବେଳ ଯାଏ ନାଡ଼ି ଚିପିଲେ, ଉପରକୁ ଅନାଇ ଆଖିବୁଜି ଦାନ୍ତ ନିସାଡ଼ି ରୋଗ ଅନୁମାନ କଲେ । ମୁକୁନ୍ଦା ଭକଭକ କରି କବିରାଜଙ୍କ ମୁହଁକୁ ଚାହିଁଥାଏ । ପଚାରିଲା, "କବିରାଜେ, କଣ ଦେଖିଲେ ? "କବିରାଜେ ଗମ୍ଭୀର ଭାବରେ ସ୍ଥିରହୋଇ ବସି କହିଲେ,'ଏଁ ବୋଇଲା, କଣ୍ଠଶ୍ଳେଷପ୍ରଣୟିନିଜନେ କିଂ ପୁନର୍ଦୁଭସଂସ୍ଥେ '-ବୋଇଲା କଣ୍ଠରେ ତ ଶ୍ଳେଷା ଲାଗିଲେ ପ୍ରାଣ ଯାଏ, ସେ ପୁଣି ଦୂରକୁ ଚାଲିଗଲେ କଣ ହେବଟି ? ହେଲେ ମୁଁ କି ଏମାନଙ୍କପରି ଅପାଠୁଆ କବିରାଜ ହୋଇଛି ? ଦେଖ, ମୁଁ ରୋଗକୁ କାନିରେ ବାନ୍ଧିନେବି ।" କବିରାଜେ ଏହା କହି କାନିରେ ଗଣ୍ଠି ପକାଇଲେ ।