ପୃଷ୍ଠା:First Printing Press of Baleswar.pdf/୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାଲେଶ୍ୱରର ପ୍ରଥମ ଛାପାଖାନା

(୧୮୬୮)

ବ୍ୟାସକବି ଫକୀରମୋହନ ସେନାପତି

ମିସନ୍ ସ୍କୁଲରେ ପଢ଼ାଉଥିବା ସମୟରେ ମୁଁ ଉତ୍କଳସାହିତ୍ୟର ଉନ୍ନତି ଏବଂ ବିସ୍ତାର ସକାଶେ କାୟମନୋବାକ୍ୟରେ ଚେଷ୍ଟା କରୁଥାଏ । ମୁଁ ପ୍ରଥମରେ 'ରାଜପୁତ୍ରର ଇତିହାସ' ନାମକ ଖଣ୍ଡିଏ ଗଦ୍ୟ-ପୁସ୍ତକ ଲେଖିଲି । ସେ ସମୟରେ ଉତ୍କଳରେ ଗୋଟିଏ ମାତ୍ର ପ୍ରେସ୍ ଥିଲା-କଟକ ମିସନ୍ ପ୍ରେସ୍ । ମୁଁ ଉକ୍ତ ପ୍ରେସକୁ ଲେଖି, ଜାଣିଲି ଯେ, ତାହା ଛପାଇବାକୁ ଚାରିଶତ ଟଙ୍କା ଲାଗିବ । ସେତେବେଳେ ମୋର ଏତେ ଟଙ୍କା ନ ଥିଲା । ମୁଁ ସେଥିରୁ ନିବୃତ୍ତ ହେଲି । ପରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ଅନୁମତି ପାଇ ତାହାଙ୍କ ଲିଖିତ ବଙ୍ଗଳା 'ଜୀବନ ଚରିତ' ଖଣ୍ଡ ଓଡ଼ିଆରେ ଅନୁବାଦ କରି କଲିକତା ବ୍ୟାପଟିଷ୍ଟ ମିସନ୍ ପ୍ରେସରୁ ଛପାଇ ଆଣିଲି । ଉକ୍ତ ପୁସ୍ତକ ଛାତ୍ର ବୃତ୍ତି ପରୀକ୍ଷା ସକାଶେ ପାଠ୍ୟପୁସ୍ତକ ନିର୍ବାଚିତ ହେଲା । ତହିଁଉତ୍ତାରେ ଖଣ୍ଡିଏ ବ୍ୟାକରଣ ଓ ଖଣ୍ଡିଏ ଅଙ୍କମାଳା ଲେଖିଲି । ସେ ଦୁଇଖଣ୍ଡ ମଧ୍ୟ ସ୍କୁଲମାନଙ୍କରେ ଚଳିବାକୁ ଲାଗିଲା ।
ସାହିତ୍ୟର ଉନ୍ନତି ଏବଂ ପ୍ରଚାର ସକାଶେ ଆମ୍ଭେମାନେ ଗୋଟିଏ ସଭା ସ୍ଥାପନ କଲୁଁ । ସେଥିରେ ସଭ୍ୟ ହେଲେ-

ବାବୁ ଜୟକୃଷ୍ଣ ଚୌଧୁରୀ
ବାବୁ ଭୋଳାନାଥ ସାମନ୍ତରାୟ
ବାବୁ ଗୋବିନ୍ଦପ୍ରସାଦ ଦାସ