Jump to content

ପୃଷ୍ଠା:First Printing Press of Baleswar.pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋମ୍ପାନୀର ଅଶଂକିଣିବାକୁ ସମ୍ମତ ହେଲେ । ଚାରି ପାଞ୍ଚ ମାସ ଅବିଶ୍ରାନ୍ତ ପରିଶ୍ରମରେ ବାର ଶତ ଟଙ୍କା ସଂଗୃହୀତ ହୋଇ, କୋଷାଧ୍ୟକ୍ଷଙ୍କ ସମୀପରେ ଗଚ୍ଛିତ ହେଲା ।

ପ୍ରେସ କିପରି ବସ୍ତୁ ଏବଂ ଏଥିରେ କିପରି କାର୍ଯ୍ୟ ଚଳେ, ଏ ସମସ୍ତ ବିଷୟ ସେତେବେଳେ ବାଲେଶ୍ୱରରେ କାହାରିକୁ ଜଣା ନ ଥିଲା । କଲିକତାରୁ ପ୍ରେସ୍‌ମେନ୍ ଅଣାଇ କାର୍ଯ୍ୟ ଚଳାଇବାର ପାଣ୍ଠି ଆମ୍ଭମାନଙ୍କ ହାତରେ ନ ଥିଲା । ଛାପାକାର୍ଯ୍ୟ ଶିଖି ଆସିବା ପାଇଁ ମୁଁ ମୋର ଗୋଟିଏ ମାତୁଳ ପୁତ୍ର ଭାଇକୁ କଲିକତା ପଠାଇଲି, ତାହାର ନାମ ଜଗନ୍ନାଥ । ମୁଁ ବର୍ଷେକାଳ ତାହାର ମାସିକ ଖର୍ଚ୍ଚ ସକାଶେ ମାସିକ ପନ୍ଦରଟଙ୍କା କରି ପଠାଇଲି । ଉକ୍ତ ଟଙ୍କା ମୁଁ କୋମ୍ପାନୀର ପାଣ୍ଠିରୁ ନ ଦେଇ, ନିଜ ହାତରୁ ଦେଇଥିଲି । ଛାପାଖାନା ସକାଶେ କି କି ଜିନିଷ କିଣିବାକୁ ହେବ ଓ ସେ ସମସ୍ତର ମୂଲ୍ୟ କେତେ, ଏ ବିଷୟ ଅନୁସନ୍ଧାନ କରି ଲେଖି ପଠାଇବା ସକାଶେ ତାକୁ ଆଦେଶ ଦିଆଗଲା ।
ଛାପାଖାନା ସମ୍ବନ୍ଧୀୟ ସରଞ୍ଜାମମାନ ବାଲେଶ୍ୱରୀ ଜାହାଜରେ କ୍ରମେ କ୍ରମେ ଆସିବାକୁ ଲାଗିଲ। । ଜାହାଜ କଲିକତାରୁ ବାଲେଶ୍ୱରକୁ ଆସିବାକୁ ପବନର ସୁବିଧା ଅନୁସାରେ ଆଠ ଦଶ ଦିନଠାରୁ କୋଡ଼ିଏ ଦନ ପର୍ଯ୍ୟନ୍ତ ଲାଗୁଥିଲା । ସର୍ବଶେଷରେ ଟାଇପ୍ ସବୁ ଧରି, ଜଗନ୍ନାଥ ବାବୁ ମଧ ପହଞ୍ଚିଗଲେ । ଏ ସବୁରେ ମୋର ସବୁ ସୁଦ୍ଧା ଖରଚ ହେଲା— ଆଠଶ ଟଙ୍କା । ବାକୀ ହାତରେ ବଳକା ଅଛି ଚାରିଶ ଟଙ୍କା । ଗୋଟିଏ ପ୍ରେସ୍‌ର ଦରକାର । ଅନୁସନ୍ଧାନ କରି ଜଣାଗଲା ଯେ, ସାତ ଆଠଶ ଟଙ୍କାରୁ କମ୍ ରେ ଗୋଟିଏ ପ୍ରେସ ମିଳିବ ନାହିଁ । ତେବେ କ’ଣ ଏତେ ପରିଶ୍ରମ, ଏତେ ଅନୁଷ୍ଠାନ ସମସ୍ତ ବୃଥା ଯିବ ? ମେଦିନୀପୁରରେ ମିସନରୀ ମାନଙ୍କର ଗୋଟିଏ ଛାପାଖାନା ଥିଲା । ସେଠାରେ ଅଳ୍ପ ମୂଲ୍ୟରେ ଗୋଟିଏ ଛାପାକଳ ମିଳପାରେ କି ନାହିଁ, ଜାଣିବାକୁ ପତ୍ର ଲେଖିଲି । ପତ୍ରର ଉତ୍ତର ଆସିବା ପୂର୍ବେ ଚାରି ପାଞ୍ଚଦିନ ମଧରେ ଶଗଡ଼ରେ ଗୋଟିଏ ଛାପାକଳ ଆସି ମୋ ପାଖରେ ପହଞ୍ଚିଗଲା । ମୂଲ୍ୟ ବୋଧକରେଁ ଦେଢ଼ଶ ଟଙ୍କା ହେବ ।
ବାଲେଶ୍ୱରର ମୋତିଗଞ୍ଜ ବଜାରର ମଧ୍ୟଭାଗରେ ଆମ୍ଭମାନଙ୍କର ଗୋଟିଏ କୋଠାଘର ଥିଲା । ସେ ଘରଟି ଭଡ଼ା ଦିଆଯାଏ । ବଡ଼ବାପାଙ୍କ