ପୃଷ୍ଠା:First Printing Press of Baleswar.pdf/୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଜମା କରି ଦେଲୁଁ । କୋମ୍ପାନୀ ଭାଙ୍ଗିଗଲା ଉତ୍ତାରେ ଲାଭ ସହିତ ତାହାଙ୍କୁ ତିରିଶ ଟଙ୍କା ଫେରାଇଦେଇଥିଲୁଁ ।

ପାର୍ବଣ ପୂଜା ଉପଲକ୍ଷରେ ଅନେକ ଲେକ ବାଲେଶ୍ୱର ସହରର ଜଣେ ପ୍ରଧାନ ବ୍ୟବସାୟୀ ବାବୁ ମଦନମୋହନ ଦାସଙ୍କ ଘରଠାକୁ ନିମନ୍ତ୍ରିତ ହୋଇଥିଲେ । ବାବୁ ରାଧାନାଥ ରାୟ ଏବଂ ମୁଁ ମଧ୍ୟ ସେଠାରେ ଉପସ୍ଥିତ ଥିଲୁଁ । ପ୍ରକାଶ୍ୟ ସଭା ମଧ୍ୟରେ ରାଧାନାଥ ବାବୁ ମୋତେ ଅନାଇ କହିଲେ, “ଆପଣ ଯେଉଁ ଭାବରେ ପ୍ରେସ୍‌କମ୍ପାମୀ ସ୍ଥାପନ କରି ଅଛନ୍ତି, ତାହା ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲିଖିତ ରହିବା ଉଚିତ ।”

ଛାପାଖାନାର କାର୍ଯ୍ୟ ସୁନ୍ଦରରୂପେ ଚଳିବାକୁ ଲଗିଲ। । ଅନେକ ଲାଭ ମଧ୍ୟ ହେଉଥାଏ । ଇତିପୂର୍ବେ କଟକ ପ୍ରିଣ୍ଟିଂ କୋମ୍ପାମୀ “ଉତ୍କଳଦୀପିକା' ନାମ୍ନୀ ସାପ୍ତାହିକ ପତ୍ରିକା ପ୍ରକାଶ କରୁଥିଲେ । ଆମ୍ଭମାନଙ୍କ ପ୍ରେସ୍‌ରୁ ଗୋଟିଏ ପାକ୍ଷିକ ପତ୍ରିକା ବାହାର କରାଯିବା ସକାଶେ କୋମ୍ପାନୀର କାର୍ଯ୍ୟନିର୍ବାହିକା ସମିତି ପ୍ରସ୍ତାବ ଏବଂ ସ୍ଥିରକଲେ । ପତ୍ରିକାର ନାମ ହେଲା-“ବୋଧଦାୟିନୀ ଏବଂ ବାଲେଶ୍ୱର ସମ୍ବାଦ ବାହିକା' । ବୋଧଦାୟିନୀ ଅଂଶ ସାହିତ୍ୟ-ବିଷୟକ ଏବଂ ସମ୍ବାଦ ବାହିକା ଅ°ଶ ସମ୍ବାଦ-ବିଷୟକ । ପତ୍ରିକା ବାହାରିଲା; ମାତ୍ର ଲେଖକର ଅଭାବ । ମୁଁ ଦିନଯାକ ସ୍କୁଲ ଓ ପ୍ରେସ୍ କାର୍ଯ୍ୟ କରି ଥକି ପଡ଼େଁ । ରାତିରେ ବିଶେଷ କିଛି କାର୍ଯ୍ୟ କରିବାକୁ ବଳ ଅଣ୍ଟେନାହିଁ । ସେଥିପାଇଁ ପତ୍ରିକା ଅନିୟମିତରୂପେ ବାହାରେ । ପ୍ରାୟ ଚାଳିଶ ପଚାଶ ଜଣ ପତ୍ରିକାର ଗ୍ରାହକ ଥିଲେ । ଆଠ ଦଶ ଜଣଙ୍କଠାରୁ ମୂଲ୍ୟ ଆଦାୟ ହେଉଥିଲା ।