ଗଳ୍ପସ୍ୱଳ୍ପ
ହୋଇଗଲାଣି । ଏଡେ ଲୋକ ସାଙ୍ଗରେ ବନ୍ଧୁପଣ - ଆପଣଙ୍କର ନାମ ଚର୍ଚ୍ଚା ନାହିଁ ।
ମହାନ୍ତିଏ - ଏ ପଦୀ । କାଲି ରାତିରୁ ତୁ ଲାଗିଯା - କାଲି ସକାଳେ ତୁ ଖାଇ ପିଇ ଆସି ଘର ଲିପା ପୋଛା ଝୋଟିଦିଆ ସବୁ ନିବାଡ଼ି ଦେ ।
ପଦୀ -ଏ ସାନ୍ତେ ! ତୁମ ବନ୍ଧୁବାନ୍ଧବ ଘରେ ନିମତା ଦେଇ ଆସିବି ନା ?
ମହାନ୍ତିଏ-ନା -ନା -ନା -ନା, ସେ ପାଜିଙ୍କ ମୁହଁ ପୋଡ଼ି ଦେ । ଯେ ଆସିବ, ଆଗେ କହି ବସିବ ଖାଇବାକୁ ଦେ, ପିଠା ଖଜା ଦେ । କ୍ୟାଁ ରେ ବାବୁ ! ମୁଁ ଝିଅଟାକୁ ଖୁଆଇ ପିଆଇ ବଢାଇଛି, ସେ କନ୍ୟାସୁନା ଯୋଡାଏ ଟଙ୍କା ମିଳିବ, ମୁଁ ନେବି, ତୁମକୁ ଖୁଆଇବି କ୍ୟାଁ ?
ପଦୀ ମହାନ୍ତିଙ୍କ ଘରୁ ବାହାରି ଗାଁରେ ଯେତେ ବଳରାମଗୋତ୍ରୀ ଘର ଅଛି, ଦୁଆର ଦୁଆର ବୁଲିଲା ।
ଗାଁଟା ଖୁବ୍ ବଡ଼, ଶକଡା ଘର, ସେଥିରୁ ଅଧାଅଧି ବଳରାମଗୋତ୍ରୀ । ମହାନ୍ତିଙ୍କ କହିଥିବା କଥା ପଦୀ ଜଣ ଜଣ କରି ତୁନି ତୁନି ସବୁ କହିଲା । ଆହୁରି ବି କିଛି ଲଗେଇ ଦେଇ କହିଲା - ମହାନ୍ତି କହିଛି, ଝିଅ ବାହାଘର ଦିନ ଜାତି ଲୋକ ଯେ ତା ଦାଣ୍ଡ ଆଗ ଦେଇ ଚାଲିଯିବ, ସମସ୍ତଙ୍କ ପିଠିରେ ଯୋଡ଼ାଏ ଯୋଡ଼ାଏ ପାଣ୍ଡୋଇ ବାଡେଇବ । ମୂଲିଆ ଯୋଡ଼ାଏ ପାଣ୍ଡୋଇ ଧରି ବସିଥିବେ ।
ଜାତିଭାଇ ସମସ୍ତେ ଶୁଣି ନିଆଁବାଣ ହୋଇ ଗଲେଣି । କଥାଟା ସତ କି ମିଛ, କେହି ବୁଝିବାକୁ ନାହିଁ । ବଡ଼ଝିଅ ମାଧି ବିଭାଘରବେଳେ ମାଧ ମହାନ୍ତି ଜାତିଭାଇଙ୍କୁ ସଙ୍ଖୁଳି ନାହିଁ, ବଡ଼ ହେଟାଦର କରିଛି, ସେହି ରାଗଟା ସମସ୍ତଙ୍କ ମନରେ ଥିଲା । ସମସ୍ତେ କମ୍ପୁଛନ୍ତି । ମହାନ୍ତିଙ୍କୁ ହାବୁଡ଼ରେ ପାଇଲେ ରସାତଳକୁ ଦେବେ ।
ପଦୀ ବାହାରି ଗଲା ବାଦେ ମାଧ ମହାନ୍ତିଏ ଝିଅକୁ କହିଲେ, "ଆଲୋ ମାଳତୀ ! କାଲି ଭଣ୍ଡାରୁଣୀ ଆସିଲେ ତା ହାତରେ ଘରଦ୍ୱାର ଲିପାପୋଛା କରାଇ ନେବୁ । ଅନା, ଏହି ଯେ କାନ୍ଥ ଝଡ଼ି ପଡିଛି, ତା ହାତରେ କାଦୁଅ ଛଟାଇ ନେବୁ । ଶୁଣ, ଖବରଦାର ! ସକାଳୁ ତାକୁ ପାଇଟିରେ ଲଗାଇବୁ ନାହିଁ । ଗାଧୁଆବେଳ ହେଲା ତ ଗାଧୋଇ ପଡ଼ି କହିବ, ଦେଲୁ ଭାତ ଖାଇବାକୁ । ଏ ଗାଁ ଲୋକଗୁଡାକଙ୍କ କଥା ଦେଖିଲେ ବଡ ଚଳ ମାଡେ । ଟିକିଏ କିଛି କାମ କରିଦେଲେ ତ, କହି ବସିବେ ଦେଲୁ ମାଣେ ଧାନ ।
ଆଜିକାଲି ମହନ୍ତ ବାହାରକୁ ବାହାରନ୍ତି ନାହିଁ । ସାଙ୍ଗ ଲୋକଗୁଡ଼ିଙ୍କୁ ଘେନି ସବୁବେଳେ ତୋଟାରେ ବସିଥାନ୍ତି । ଯେଡ଼େ ଲୋକ ହେଉ,ଯେତେ କାମ ଥାଉ ତୋଟା ଭିତରକୁ ଯିବା ବାସନ୍ଦ । ଆଜିକାଲି ରାତିରେ ଆଖଡ଼ା ବନ୍ଦ । କେବଳ ପଦୀ ଭଣ୍ଡାରୁଣୀ ସଞ୍ଜ ସକାଳ ସବୁବେଳେ ତୋଟା ଭିତରକୁ ଯା ଆସ କରେ ।
ମାଧ ମହାନ୍ତିଏ ରୋଜିନା ପରି ସକାଳୁ ଉଠି ପଦା ଆଡ଼େ ଯାଇଥିଲେ, ଫେରି ଆସି ଦେଖିଲେ, ପଦୀ ପିଣ୍ଡାରେ ବସିଛି । "କି ଲୋ ପଦୀ ! ତୁ ଏଡେ ସକାଳୁ ଆସି ବସିଲୁଣି ଯେ ?"
ପଦୀ - ମଲା ଯା !
"ଯାହାର ବାହା ସେ ଖେଳୁଛି ପଶା ଧାଇଁ ବୁଲୁଛନ୍ତି ସାଇ ପଡିଶା ।"
ପିଛିଲା ରାତି ଘଡ଼ିଏ ଥିଲା, ମୁଁ ଉଠି ପଡ଼ି ଘରେ ବାସିପାଇଟି ଚଞ୍ଚଳ ସାରିଦେଇ ଧାଇଁଛି । ଆଜି ଯେ ସାନ୍ତ ଅଭିଆଡ଼ି ମଙ୍ଗୁଳା, କନ୍ୟା ଦେହରେ ହଳଦୀ ପଡ଼ିବ ।