ପୃଷ୍ଠା:Galpa swalpa.djvu/୧୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଳ୍ପସ୍ୱଳ୍ପ

ବାବୁ ରାମରାମ ପାତ୍ରେ କହିଲେ- ତୁଚ୍ଛା କଥାଟାରେ ଏତେ ବକ୍ ବକ୍ କ୍ୟାଁ ? ଶୁଣିଲେ ନାହିଁ, ଡକାଏତମାନେ ଫିରିଙ୍ଗୀ ନୁହନ୍ତି, ଫାଟୁଆଗାଈ ଜାତି ।

ବାବୁ ପରମ ପରିଜା ଟିକିଏ ଖପା ହେଲା ପରି କହିଲେ- ଆପଣମାନେ ଭିତର କଥା ସବୁ ନ ଜାଣି କ୍ୟାଁ କଥା କହନ୍ତି ? ଆମ୍ଭଙ୍କୁ ଅସଲ କଥା ଜଣା । ଫିରିଙ୍ଗୀ ଖଲାସୀମାନଙ୍କ ମୁହଁରୁ ଢେର ଥର ଶୁଣିଛୁ- ଏଇ ଯେ ଦରିଆ ଦେଖୁଛ, ଠିକ ପୂର୍ବଦିଗରେ ଆର କୂଳକୁ ଲାଗି ଗୋଟାଏ ଟାପୁ ଅଛି, ସେଇଟାର ନାମ ବିଲାଇତ । ସେଇଟା ଢେର ବାଟ । ବାଲେଶ୍ୱର ନଈ ମୁହାଣ କତିରୁ ଠିକ୍ ପୂର୍ବମୁହାଁ ଜାହାଜ ଛାଡିଦେଲେ ଦେଢ ବରଷରେ ସେ ଦେଶରେ ଜାହାଜ ପହୁଞ୍ଚିବ । ଆମ ଦେଶରେ ଯିମିତିକା ଛତିଶ ପାଟକ ଅଛନ୍ତି, ସେ ଦେଶରେ ବି ସେହିପରି ଓଲନ୍ଦାଜ, ଡିଙ୍ଗେମାର, ଇଂରେଜ, ଫରାସି ନାନା ଅଲଗା ଅଲଗା ଜାତି ଅଛନ୍ତି । ଦେଖୁ ନାହାନ୍ତି, ଏଇ ବନ୍ଦରରେ ସେମାନଙ୍କ ଘର ଅଲଗା ଅଲଗା ।ଫାଟୁଆଗାଈମାନେ ବି ଫିରିଙ୍ଗୀ ସତ, ହଗ୍ରୁ ତଣ୍ଡେଲ ମୁହଁରୁ ଶୁଣିଲେ ନାହିଁ, ସେହି ଫାଟୁଆଗାଈମାନେ ରବିବାର ଦିନ କିଛି କାମ ପାଇଟି କରନ୍ତି ନାହିଁ, ଗୀର୍ଜାକୁ ଯାଇ ଠାକୁର ପୂଜା କରନ୍ତି । ସେମାନଙ୍କ ପୁରୋହିତମାନେ ବି ପାଲା ଗାଆଣିଆଙ୍କ ପରି କଳା କନା ଘାଗରା ପିନ୍ଧନ୍ତି, ଦିନଟାରେ ମହମବତି ଜାଳନ୍ତି, ଆଣ୍ଠେଇ ପଡ଼ି ପାଣି ଛିଞ୍ଚନ୍ତି ।

ବାବୁ ରାମରାମ ପାତ୍ରେ କହିଲେ, "ସତ ପରା ହୋ ! ଅଲଗା ଜାତି ନୁହନ୍ତି, ସେଦିନ ରାତିରେ ଫରାସି ସେଁନ୍ଥିମି ଭୋଁ ସାହେବ ଡିଙ୍ଗେମାର ବଡ଼ ସାହେବ ଘରେ ବସି ଖାଉଥିଲା, ମୁଁ ଦେଖିଛି । ନିଶ୍ଚୟ ଏକା ଜାତି । ଟୋପିମୁଣ୍ଡିଆ ଗୋଟାଏ ଜାତି ।"

ବାବୁ ରଘୁନାଥ ଦେ କହିଲେ, "ନାହିଁ ହୋ, ସେମାନେ ଅଲଗା ଅଲଗା ଜାତି । ଦେଖୁନାହଁ, ଗୋଦାମ ଘର-ଗଦି-ଜାହାଜ-କାରବାର ସବୁ ଅଲଗା । ଆଉ ଖାଇବା କଥାଟା ଯାହା କହିଲେ, ବିଦେଶରେ କିଏ କାହାକୁ ଦେଖୁଛି ? ଆଉ ଯାହା କହ, ଇଂରେଜ ଫିରିଙ୍ଗୀ ହେଲେ କଣ ହେଲା, ସେମାନେ ଏମାନଙ୍କ ମଧ୍ୟରେ ଶ୍ରେଷ୍ଠ ଜାତି; ବ୍ରାହ୍ମୁଣ ହେବେ ପରା । ଦେଖୁ ନାହାନ୍ତି, ସମସ୍ତେ ବନ୍ଦରରେ ବଡ଼ ବଡ଼ କୋଠି ବନେଇ ରହିଛନ୍ତି । ଇଂରେଜ ଏମାନଙ୍କ ଭିତରକୁ ଆସିଲେ ନାହିଁ । ବଳରାମ ଗଡି(୧) ମୁହାଣ କତିରେ ଉଠା ଦୋକାନ ପକାଇଛନ୍ତି । ଆଉ ଏମାନଙ୍କ ଦେହ ରଙ୍ଗା, ସେମାନଙ୍କ ଦେହ ଶେତିଆ ।"

ବାବୁ ଚରଣ ଦାସେ ପଚାରିଲେ, "ହୋଇ ହେ ଦେ ସାନ୍ତେ । ଇଂରେଜ ଫିରିଙ୍ଗୀର ଦୁଇଖଣ୍ଡ ବଡ଼ ବଡ଼ ଜାହାଜ ଗବ ଗାଁ ଗଦିରେ ବରଷେ ହେଲା ବନ୍ଧା ହୋଇ ପଡିଛି, ବିଲାଇତ ଯାଉ ନାହିଁ କ୍ୟାଁ ? ସେ ଜାହାଜ ଦୁଇଖଣ୍ଡର ନାମ କଣଟି ? ହଁ-ହଁ, ଖଣ୍ଡକର ନାମ ଡାହାଣୀ ମୁଣ୍ଡ(୨) ଆଉ ଖଣ୍ଡକର ନାମ ନାଳୀ(୩) ।"

ବାବୁ ରଘୁନାଥ ଦେ- ହୋ-ହୋ ! ସେ କଥା ଶୁଣି ନାହାନ୍ତି ଦାସେ ? ବିଲାତରେ ଫିରିଙ୍ଗୀଗୁଡାକ ଆପଣା ଭିତରେ ବାଡ଼ିଆବାଡ଼େଇ ଲାଗିଛନ୍ତି । ସବୁ ଫିରିଙ୍ଗୀ ଏକପଟ, ଆଉ ଇଂରେଜ ଫିରିଙ୍ଗୀ ବାଡ଼େ । ଦରିଆରେ ଇଂରେଜ ଜାହାଜ ଦେଖିଲେ ବାଡ଼େଇ ନେବେ ।

ଆଉ କେତେକାଳ ଜାହାଜଖଣ୍ଡ ବନ୍ଦରରେ ପଡ଼ି ରହିବ ?


(୧)ନଦୀ ସମୁଦ୍ର ସଙ୍ଗମ ସ୍ଥାନରେ ଗୋଟାଏ ଜାଗାର ନାମ ।
(୨)Diamond.
(3)Lily.