ଗଳ୍ପସ୍ୱଳ୍ପ
ଉକୀଲ - ବର୍ତ୍ତମାନ ଥରେ ଚାଖ ।
କନେଷ୍ଟବଲ ବରାମଦି ମାଟି କିଞ୍ଚିତ୍ ହାଣ୍ଡିରୁ ଉଠାଇ ଚାଖିଲେ, କହିଲେ, "ଦେଖନ୍ତୁ ଲୁଣିଆ ଲାଗୁଛି ।"
ଉକୀଲ - ଆଉ ଥରେ ବେଶି କରି ଚାଖ ।
କନେଷ୍ଟବଲ - କିଞ୍ଚିତ୍ ଗୋସା ହୋଇ ଖୁବ୍ ବୁଙ୍ଗାଏ ମାଟି ପାଟିରେ ପୂରାଇ ଦେଲେ । ମିସଲରୁ ଓହ୍ଲାଇ ଯାଇ ଥୁ ଥୁ କରି ବାହାରେ ଫିଙ୍ଗି ଦେଲେ । ମିସଲକୁ ଆସି ଉକୀଲଙ୍କୁ ଖୁବ୍ ହେମତରେ କହିଲେ, "ଦେଖ, ମାଟି ଖୁବ୍ ଲୁଣିଆ ।"
ଉକୀଲ ମୁହଁରେ ରୁମାଲ ଦେଇ ହସିଲେ, ଆଉ କିଛି ପଚାରିଲେ ନାହିଁ ।
ମୁଦେଇ ତରଫ ସାକ୍ଷୀ ଦିଗବାର ଶଙ୍କ୍ରୁ ମଳିକଙ୍କର ନାମ ଧାମ ହାକିମ ଲେଖିବା ଉତ୍ତାରେ, ପେସ୍କାରେ ସତ୍ୟପାଠ ପଢ଼ାଇଲେ ।
ସୱାଲ - କନେଷ୍ଟବଲ ଆସାମୀକୁ ଗ୍ରେପ୍ତାର କରିବା ବେଳେ ତୁ ପାଖରେ ଥିଲୁ ?
ଜବାବ ଶଙ୍କ୍ରୁ ମଳିକ - ହଁ, ମୁଁ ପାଖରେ ଥିଲି ।
ସୱାଲ - ଆସାମୀ ରାମା ଲୁଣ ମାରିବା ପାଇଁ ହାଣ୍ଡିରେ ଦହପାଣି ରଖିଥିଲା, ତୁ ଜାଣୁ ?
ଜବାବ - ହଁ, ମୁଁ ଜାଣେ ।
ସୱାଲ - ଆସାମୀ ନାଳ ମୁହଁରେ ପାଣି ଢାଳି ଦେଲା, ତୁ ଦେଖିଛୁ ?
ଜବାବ - ଆଜ୍ଞା ଆଜ୍ଞା, ହୁଁ ହୁଁ, ରାମା ପାଣି ଫୋପାଡି ଦେଲା । ସେ ଲୁଣ ମାରେ ।
ମୁଦାଲା ତରଫ ଉକୀଲ ସୱାଲ - ରାମା ପାଣି ଢାଳି ଦେବାବେଳେ ତୁ ପାଖରେ ଛିଡ଼ା ହୋଇ ଦେଖିଛୁ କି ନା ? ଜବାବ - ନା ମୁଁ ଦାଣ୍ଡରେ ଛିଡା ହୋଇଥିଲି । ଜମାଦାରେ କହୁଥିଲେ ମୁଁ ଶୁଣିଛି ।
ହାକିମ କିଣାରାମ ସିଂକୁ ପଚାରିଲେ, "ତୁମର ଆଉ କେହି ଗୁହା ଅଛି ?"
କିଣାରାମ କହିଲେ - ମୁଁ ସରକାରୀ ପୋଲିଶ - ନିଜେ ଆଖିରେ ଦେଖିଛି । ଆଉ ଗୁହା କଣ ?
ହାକିମ ଏ କଥା ଶୁଣି ମୁରୁକି ହସିଲେ ।
ମାମଲା ପ୍ରମାଣ କରାଇବା ପାଇଁ ସାକ୍ଷୀ ପ୍ରୟୋଜନ, ଏ କଥା କିଣାରାମଙ୍କୁ ଜଣା ନ ଥିଲା ।
ଏ ଉତ୍ତାରେ ଆସାମୀର ଜବାବ ନିଆଗଲା ।
ଆସାମୀ ରାମ ବାରିକର ନାମ ଧାମ ହାକିମ ଲେଖି ନେଲା ଉତ୍ତାରେ, ତାହା ବିଷୟରେ ଅଣା ଯାଇଥିବା ଅଭିଯୋଗ ସଂକ୍ଷେପରେ ବୁଝାଇ ଦିଆଗଲା ଉତ୍ତାରେ ହାକିମ ପଚାରିଲେ, "ତୁ ଦୋଷୀ କି ନିର୍ଦ୍ଦୋଷ ।"
ଜବାବ ଆସାମୀ ରାମ ବାରିକ - ମୁଁ ନିର୍ଦ୍ଦୋଷ
ହାକିମ - ତେବେ କି ସକାଶେ ପୋଲିଶ ତତେ ଚାଲାଣ ଦେଲା ?
ଜବାବ - ଆଜ୍ଞା ମୁଁ ଜମାଦାରଙ୍କର ବେଠି ନ କରିବାରୁ ସେ ମୋ ହାତରେ ଅଧ ହାଣ୍ଡିଏ ମାଟି ଦେଇ ବାନ୍ଧି ଘେନି ଆସି ଅଛନ୍ତି ।
ସୱାଲ - ତୋତେ କିପରି ବାନ୍ଧି ଆଣିଲେ ?
ଜବାବ - ଆଜ୍ଞା ମୁଁ ଘରେ ଶୋଇଥିଲି । ମୋ ଘରେ ପଶି ଖୁବ୍ ମାରିଲେ ଓ ମାରି କରି ବାନ୍ଧି ଆଣିଲେ ।
ସୱାଲ - ତୁ ଦିନବେଳେ ଶୋଇଥିଲୁ ?
ଜବାବ - ଆଜ୍ଞା ମୋତେ ଜ୍ୱର ହୋଇଥିଲା - ନା ନା ମୋ ପେଟ ଟାଣୁ ଥିଲା, ମୁଁ ଶୋଇଥିଲି ।