ପୃଷ୍ଠା:Gauracharana Gitabali.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୨
ଗୌରଚରଣ ଗୀତାବଳୀ

[ବାର]
ନୀଳଚକ୍ର ଦର୍ଶନ

ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା
ପତିତପାବନ ନାମ ଟି ଯା ନାଁ ।। ଘୋଷା ।।

ଆସ ଆସ ବୋଲି ପାତକୀ ମାନଙ୍କୁ
ଡାକୁଅଛି ପରା ସଙ୍ଗାତ ଅନା,
ନେତ ଧ୍ୱଜାବର ଉଡ଼ି ଫରହର
ଉଡ଼ାଇ ଦେଉଛି ଭବଯାତନା ।୧।
ପଞ୍ଚକୋଶୀ ଯାଏଁ ଜନେ ଦେଖାଯାଏ
ଦର୍ଶନେ କଳୁଷ ହୁଅଇ ଚୂନା
ଚଉଦ ବ୍ରହ୍ମାଣ୍ଡ କର ତାଙ୍କ ଲୀଳା
ଶଙ୍ଖନାଭି କ୍ଷେତ୍ରେ ବିଚିତ୍ର ସିନା ।୨।
ସଳଖ ସୁନ୍ଦର ବଡ଼ଦାଣ୍ଡ ଶୋଭା
ମର୍ତ୍ତ୍ୟମଣ୍ଡଳରେ କାହିଁ ଅଛି ନା
ଶରଧା ବାଲିରୁ ସ୍ୱର୍ଗଦ୍ୱାର ଯାଏଁ
ଗହଳ ଚହଳ ନୁହେଁ କଳନା ।୩।
ପାପଛଡ଼ା ପୁରେ ବାସ କରିବାକୁ
ଯାହାକୁ ତାହାକୁ ନୁହଁଇ ମନା
ଆଚାଣ୍ଡଳ ବିପ୍ର ପତ୍ରକେ ଭୁଞ୍ଜିବା
ବଡ଼ ଆଚମ୍ବିତ ଲାଗଇ କି ନା ।୪।