ଗୋବର ଗୋଟେଇ
ହବ କି- ରୂପ ଥିଲେ ହବ କି ? ସେ ତ ସାଆନ୍ତିଆ ଜାତି । କିଛି ଖାଇଲେ ହେବ କି ? ଏବେ ମୋର ଗୋଟିଏ କଥା ଶୁଣ । ମୁଁ ଏ ଝିଅଟିପାଇଁ ଛୋଟରା ସାଆନ୍ତ ଘରେ ଗୋଟିଏ ପିଲାକୁ ଠିକଣା କରିଚି- ଦି ଅକ୍ଷର ପଢ଼ିଚି- ତେବେ ଗୋଟିଏ ହାତ କେମ୍ପା । ହେଲେ କଣ ହେବ ପୁରୁଷ ପୁଅ । ତାଙ୍କର ରୂପ କିଏ ଖୋଜୁଛି ? କଣ କହୁଛୁ କହିଲୁ- ତାଙ୍କୁ ଖବର କରି ଏ କାମରୁ କିମିତି ତ୍ରାହି ପାଇବା ? ଏ ଅଲକ୍ଷଣୀ ମୋ ପିଲାକୁ ସର୍ବନାଶ କଲା !"
ଆଉ ଶୁଣିବାକୁ ସରୋଜ ଅବସର ଦେଲା ନାହିଁ- ସେ ଅତିଶୀଘ୍ର ସେ ସ୍ଥାନ ପରିତ୍ୟାଗ କଲା । କି ଉପାୟରେ ଏମାନଙ୍କୁ ଦୂର କରିବ, ଏହାହିଁ ଭାବିଲା । ହଠାତ୍ ଛାଡ଼ିଦେଲେ ଲୋକେ ଭିନ୍ନ ଭାବିବେ, ତେବେ ଆଉ ମାସେ ପକ୍ଷେ ଏମିତି ଯାଉ । କୌଶଳରେ ଏମାନଙ୍କୁ ଶୀଘ୍ର ଦୂର କରିବା ପ୍ରୟୋଜନ ।
ବୁଢ଼ୀର କଥା ଶୁଣି ସରୋଜର ମନକୁ ଯେପରି ବାଧିଲା, ସେପରି ମଧ୍ୟ ହସ ମାଡ଼ିଲା । ହାୟ, ତାର ମଣିକୁ ଏପରି ତ କେତେ କଟୁ କଥା ଏମାନେ କହୁଥିବେ । ମଣିମୋର ମଣି- କମ୍ ସହି ନାହିଁ । ଆହା, ମୁଁ କି ଭୁଲ୍ କଲିଟି ?-
+ + + +
ସରୋଜ ଏତେଗୁଡ଼ାଏ ଦିନ ମଣିକୁ ଘରେ ଏକୁଟିଆ ଛାଡ଼ି ଦେଇ ମଉଜରେ ବିନୋଦ ସହିତ ବୁଲୁ ନ ଥିଲା । ଏ ରାଜ୍ୟ ସେ ରାଜ୍ୟ ହୋଇ ବର ଖୋଜୁଥିଲା । ଯେଉଁ ବରଟିକି ଠିକଣା କରି ଆସିଲା, ସେଥିରେ ତାର ମନ ମାନିଥିଲା । + + +