ଗୋବର ଗୋଟେଇ
ମଣି ତଳକୁ ଆସି ଖାଇବା ପିଇବାକୁ ବୁଝୁଥିଲା- ସରୋଜ ଉପରେ ବସି ଭାବୁଥିଲା ମଣିର ଭବିଷ୍ୟତ । ପିଲାଟି ସୁନ୍ଦର, ଓକିଲାତି କରିଛି- ଅବସ୍ଥାସଂପନ୍ନ ଘର- ବାପା, ମା ଅଛନ୍ତି । ତେବେ ମଣିର ଆଉ ଦୁଃଖ କଣ ?
ସେ ଏହିପରି କେତେ କଥା ଭାବୁଛି, ଏହି ସମୟରେ ମଣି ପହଞ୍ଚିବା ସଙ୍ଗେ ସଙ୍ଗେ ସରୋଜ କହିଲା- "ମଣି, ମୁଁ ଯେ ଏତେ ଦିନ ବାହାରେ ଘୁରୁଥିଲି ତାର କାରଣ କଣ ତୁ ଜାଣି ପାରିଥିବୁ ତ ?"
ମଣି କିଛି କହିଲା ନାଇଁ- ଚିତ୍ରପିତୁଳା ପରି ଛିଡ଼ା ହେଲା । ସେଠୁ ସରୋଜ କହିଲା- "ମୁଁ ଆଉ ଲୁଚାଇବି କାହିଁକି- ତୁ ତ କିଛି ପିଲା ନୁହଁ, ତେବେ ତୋର ଶାଶୁ ଘର ଠିକଣା ହେଲା । ବିନୋଦ ଆଉ ମୁଁ ନିର୍ବନ୍ଧ କରି ଆସିଛୁ ।"
ମଣିର ଆଖି ଲୁହଭରା ହୋଇଗଲା- ମାତ୍ର ସେ ନିଜକୁ ସମ୍ଭାଳି ନେଇ କହିଲା- "ତୁମର ଇଚ୍ଛା ଯାହା କରିବ, ସେଥିରେ ମୋର କଣ ଅଛି ?" ଏତିକିମାତ୍ର କହି ସେଠୁ ଉଠି ଚାଲିଗଲା; ଆଉ ଭାବିଲା, "ଭଗବାନ ଅଭାଗୀ କପାଳରେ ବହୁତ ଦୁଃଖ ଲେଖିଚନ୍ତି- ଜୀବନରେ ମୋର ସୁଖ କେଉଁଠି ?" ଏହିକଥା ଭିତରେ କି ରହସ୍ୟ ଥିଲା ସେ ଜାଣେ; ବିନୋଦ ଜାଣେ, ଶୁଷ୍କ କାଠ ପଥର ହୃଦୟ ସରୋଜ କାହୁଁ ବୁଝିବ ?
ସରୋଜ କିଛି ଭାବିଲା ନାହିଁ- ପତ୍ର ଅପେକ୍ଷାରେ ଚାହିଁ ରହିଲା । ମଣିର ବରଘର ପତ୍ର ଦେବାକୁ ସ୍ୱୀକୃତ କରିଥିଲେ; ତେଣୁ ସେ ଆଉ କଥା କିଛି ନ ପକାଇ ତୁନି ରହିଲା ।
ଦୁଇ ଦିନପରେ ଦିବ ଆଣି ଖଣ୍ଡେ ମୁଦାଚିଠି ସରୋଜ ହାତରେ ଦେଲା । ସେ ଦିନ ସରୋଜର ମନ କେଜାଣି କାହିଁକି ସୁଖ ନଥିଲା- ତେବେ ଚିଠି ଖୋଲି ପଢ଼ିବା ସାଙ୍ଗେ ସାଙ୍ଗେ ତାର ମନ ମଧ୍ୟ ଆଉରି