ପୃଷ୍ଠା:Gobar Gotei (C Mohapatra, 1930).pdf/୧୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋବର ଗୋଟେଇ

ନିକଟରେ ସେ ବିଷୟରେ ପତ୍ର ଲେଖିବେ । ତୁମ ମନରେ ମୋ ପ୍ରତି କାଳେ କିଛି ମନ୍ଦ ଧାରଣା ଆସିପାରେ, ଏଇଥିପାଇଁ ଏ ପତ୍ର ଲେଖିଲି- ମତେ କ୍ଷମା କରିବ । ଇତି-

ତୁମର
ମର୍ଦ୍ଦରାଜ ସିଂହ

ସେ ମର୍ଦ୍ଦରାଜ ସିଂହ ସ୍ୱାକ୍ଷରିତ ପତ୍ରଟି ପାଠ କରିସାରିଲା; ମାତ୍ର କଥାଟା କିଛି ବୁଝି ପାରିଲା ନାହିଁ । ମଣିର ଜାତି ନାହିଁ, ଏହାର ଅର୍ଥ କଣ ? ସେ ଗରିବ ଥିଲା, ଭିକ ମାଗି ତ ନାହିଁ ମାଗିଲେ ବା କଣ ହେବ ? ସେ ପୋଲିସ ଦ୍ୱାରା ପିଲା ଦିନେ ମିଛରେ ଧରା ହେଇଚି, ଏଥିରେ ଜାତି ଯିବାରକଥା କଣ ଥିଲା ? ସେ ମିଶନସ୍କୁଲ ବୋଡିଂରେ ଥିଲା, ଏଥିରେ ବୋଧହୁଏ ତାର ଜାତି ଯାଇଚି- ଜାତି ଗୋଟାଏ କଣ ? ସେ ଗଲା କିପରି ? ସ୍ତ୍ରୀ ଜାତିର ସ୍ୱଭାବ କଣ ତାର ଲୋପ ହେଇଚି ? ଛି- ଛି, ମର୍ଦ୍ଦରାଜ ତେବେ ପାଠ ପଢ଼ି ଏତେ ନିମ୍ନରେ ?

ସରୋଜ ଏତେବେଳେ କଣ ଭାବିଲା, ତା ମନ ଜାଣେ, ମାତ୍ର ଥୟ ହୋଇ ରହି ପାରିଲା ନାହିଁ । ସବୁ ମଣିର ଭାଗ୍ୟକୁ ଦୋଷ ଦେଲା- ଶେଷକୁ ହୁଁକାର କରି ଉଠିଲା- ସରୋଜ ନିଜର ଧ୍ୱଂସ ଯାଏ ଚେଷ୍ଟାକରି ମଣିକୁ ସୁପାତ୍ରରେ ନିଶ୍ଚୟ ଦେବ- ଦେବ- ଦେବ ।

ମଣିକୁ କିଛି ନ କ‌ହି ପୁଣି ଥରେ ସେ ବୁଲିବ- ଏହିପରି କେତେ କଥା ଭାବି ଠିକ୍ କଲା । ତାକୁ କଣ କ‌ହି ବିଦେଶକୁ ଯିବ- ପୁଣି କାହା ଯିମାରେ ବା ତାକୁ ଦେବ ? ଜାତି ସମାଜର ଭୟ ନ ଥିଲେ ସେ ଆଜି ନିଜେ କଣ ରକ୍ଷାକର୍ତ୍ତା ହୋଇ ପାରନ୍ତା ନାଇଁ- ମାତ୍ର ଶାସ୍ତ୍ର ଯେ ସବୁ ଭୟ ଦେଖାଉଚି ସେ 'କଣ କରିବ', 'କଣ କରିବ' ଏହି କଥା ପ୍ରତିନିୟତ ଭାବିଲା ।