ପୃଷ୍ଠା:Gobar Gotei (C Mohapatra, 1930).pdf/୧୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋବର ଗୋଟେଇ

ଶୂଦ୍ରାଦି ନିକୃଷ୍ଟ ବର୍ଣ୍ଣୀୟ ବଂଶ ସବୁ ବ୍ରାହ୍ମଣାଦି ଉଚ୍ଚବଂଶ ସ‌ହିତ ବୈବାହିକ ସୂତ୍ରରେ ବଦ୍ଧ ହେଲେ ଯେ ଉଚ୍ଚ ବଂଶତ୍ୱ ପ୍ରାପ୍ତ ହୁଅନ୍ତି ଏହା ମନୁ ତାଙ୍କର ତୃତୀୟ ଅଧ୍ୟାୟ ୪୪ ଶ୍ଳୋକରେ ଲେଖି ଯାଇ ଅଛନ୍ତି-

"ଶରଃ କ୍ଷତ୍ରିୟୟା ଗ୍ରାହ୍ୟଃ ପ୍ରତୋ ଦୋ ବୈଶ୍ୟ କନ୍ୟାୟା
ବସନସ୍ୟ ଦଶା ଗ୍ରାହ୍ୟା ଶୂଦ୍ରୟୋତ୍‌କୃଷ୍ଟ ବେଦନେ ।"

ଆଜି ନିମ୍ନ ବ୍ରାହ୍ମଣ ଜାତି ନିଜମଧ୍ୟରେ ଶତ ଶତ ପ୍ରଭେଦ ସୃ୍ଷ୍ଟି କରି ଅନ୍ୟାନ୍ୟ ଜାତିକୁ ହୀନ କରି ରଖି ଅଛି । ସେଥିପାଇଁ ଉଠିବାକୁ ହେବ- ବୀର ବିକ୍ରମରେ ଜାଗିବାକୁ ହେବ । ତୁ ବୀରକେଶରୀ ହେବୁ ସରୋଜ ! ତୋରି ଯୋଗେ ଜାତି ନବ ଜୀବନ ପାଇବ । ନାନା ସ୍ଥାନରେ ନାନା ଉପାୟରେ ଏହା ଅନେକେ ଚଳାଇ ଲେଣି । ଛାର କଟୁ ଭର୍ତ୍ସନା ପ୍ରତି ଭୟ କର ନାଁ । ପ୍ରକୃତରେ ତୋର ସ୍ଥାନ ବର୍ତ୍ତମାନ କଠିନ- ତୁ ସ୍ୱୟଂ ପରିବର୍ତ୍ତନ ଆଣିବୁ । ତୁ ଏପରି ଦୀପ୍ତ ସାହାସରେ ଉଠିବାକୁ ଇଚ୍ଛା କରୁଅଛୁ- ମୁଁ ତୋର ଚିରସାଥୀ- ଏଥିରେ ସାଙ୍ଗ ହେବି ନାହିଁ ? ମୁଁ ତ ଗାଇ ବୁଲିବି ମନୁଙ୍କର-

ସେହି ନବମ ଅଧ୍ୟାୟ ବର୍ଣ୍ଣିତ ୨୩|୨୪ ଶ୍ଳୋକ ଦୁଇଟିକୁ- ଚତୁର୍ଦ୍ଦିଗରେ-ଗ‌ଗନ ପବନ ମୁଖରିତ କରି-

ଅକ୍ଷମାଳା ବଶିଷ୍ଠେନ ସଂଯୁକ୍ତାଧମ ଯୋନିଜା
ଶାରଙ୍ଗୀ ମନ୍ଦପାଳେନ ଜଗାମାର୍ଭା ର୍ହନୀୟତାଂ
ଏତା ଶ୍ଚାନ୍ୟାଶ୍ଚ ଲୋକେଅସ୍ମିନ୍ନପକୃଷ୍ଟ ପ୍ରସୂତୟଃ
ଉତ୍‌କର୍ଷଂ ଯୋଷିତଃ ପ୍ରାପ୍ତାଃ ସ୍ୱୈଃ
ସ୍ୱୈର୍ଭର୍ତ୍ତୃଗୁଣୈଃ ଶୁଭୈଃ ।