Jump to content

ପୃଷ୍ଠା:Gobar Gotei (C Mohapatra, 1930).pdf/୧୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋବର ଗୋଟେଇ

ମଣି-'ମଣି' । ଏହା କ‌ହି ହୃଦୟକୁ ଟାଣିନେଲା । ଦୁଇଟିପ୍ରାଣ ଏକାଠି ମିଶିଗଲା । ସେ କି ପରମ ସୁଖ ! ସେ କି ମଧୁର ଅନୂଭୁତି !!!!

ମଣିର ମନେ ପଡ଼ିଲା ତାର ଇସ୍କୁଲ ପାଠ ପଢ଼ା କଥା । ତାକୁ ମିସରାୟ ଯେ ସର୍ବଦା ତା ନିକଟରେ ଜଗନ୍ନାଥ ପ୍ରତିମାର କୃଷ୍ଣ ମୂର୍ତ୍ତିର ହୀନତା ବର୍ଣ୍ଣନା କରି ଯୀଶୁଙ୍କର ମହତ୍ତ୍ୱ ଶିଖାଇ ପରାସ୍ତ ହୋଇଥିଲେ ତାହା ମନେ ପଡ଼ିଲା । ସରୋଜକୁ ସେହି କଥା କ‌ହି, କ‌ହିଲା- "ଭାଇ, ବାସ୍ତବରେ ମୁଁ କିପରି ଛାଡ଼ିବି- ତୁମେ ତ ମୋର ଭାଇ । ମୁଁ ତାହା ବଦଳାଇ ପାରିବି ନାହିଁ । କାରଣ ମିସ୍‌ରାୟଙ୍କ ଶତ ଚେଷ୍ଟାରେ ମୋର ଜଗନ୍ନାଥ ଭକ୍ତି ଦୂର ହୋଇ ନାଇଁ, ଆଉ 'ଭାଇ' ଡାକ କିପରି ଛାଡ଼ିବି ? ମୁଁ ଯେ ଗୋଟିଏ ପଥରଯାତ୍ରୀ ।" ସରୋଜ "ବଦଳାନା ପଛକେ", କ‌ହି ସେ ମିସ୍‌ରାୟ କଥା ଶୁଣିବାକୁ ବଡ଼ କୈତୂହଳୀ ହେଲା ।

ମଣି କ‌ହିଲା- "ଆମର ପ୍ରିନ୍‌ସପାଲ ମିସ୍‌ରାୟ ମତେ ବଡ଼ ଭଲ ପାଆନ୍ତି । ଇସ୍କୁଲରେ ସମସ୍ତେ ଯେତେ ଭଲପାଆନ୍ତି, ତାହା ଅପେକ୍ଷା ସେ ବେଶୀ ଭଲ ପାଆନ୍ତି ଗୋଟିଏ କାରଣ ନେଇ । କାରଣ ତାଙ୍କର ଇଚ୍ଛା, ସେ ମୋତେ ଖ୍ରୀଷ୍ଟିୟାନ କରିବେ । ସେଥିପାଇଁ ମୋତେ କେତେ ପ୍ରଲୋଭନ ଦେଖାନ୍ତି ଏବଂ ନାନାପ୍ରକାର ଶୁଖିଲା ଧମକ ଦିଅନ୍ତି । ଉପାସନା ବେଳେ ଯୀଶୁ ନାମଠାରେ ମୋର କୃଷ୍ଣନାମ କିଂବା ଜଗନ୍ନାଥ ନାମ ହୋଇଯାଏ ।

"ଛାତ୍ରୀମାନଙ୍କୁ ଉପାସନା ଶେଷରେ ବୁଝାଇ ଦିଆଯାଏ ଯେ- ଦେଖ, ଇଶ୍ୱରଙ୍କ ପୁତ୍ରଙ୍କ ପାଖରେ ତୁମ୍ଭେମାନେ ଶରଣ ନ ନେଇ ଯଦି ପିତୁଳା ନିକଟରେ ନିଅ, ତେବେ ଅନନ୍ତ ନରକ ଭୋଗିବ । ଥରେ ଖଣ୍ଡେ ଠେଙ୍ଗା ନେଇ ତୁମ୍ଭ ଠାକୁରଙ୍କୁ ଏକପାହାର ଦେବଟି, ସେ ଦେଖିବା କିପରି ବଞ୍ଚି ଉଠିବେ ? ଆଉ ତୁମ୍ଭଙ୍କୁ ଓଲଟି କିପରି ଚାପୁଡ଼ା ମାରିବେ ? ତାହା