ପୃଷ୍ଠା:Gobar Gotei (C Mohapatra, 1930).pdf/୧୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋବର ଗୋଟେଇ

ଯଦି ନ ହୁଏ ତେବେ ସେ ତୁମ୍ଭଙ୍କୁ ଅନନ୍ତ ନରକରୁ କିପରି ତ୍ରାଣ କରିବେ ?"

"ଏସବୁ ଯୁକ୍ତି ଶୁଣି ମୋତେ ହସ ମାଡେ । ହିନ୍ଦୁ ତେବେ ପିତୁଳା ପୂଜାକରେ ଏହି ଅର୍ଥରେ । ଅନ୍ୟାନ୍ୟ ଛାତ୍ରୀମାନେ ବିଶ୍ୱାସ ନ କଲେହେଁ ପ୍ରିନିସ୍‌ପାଲଙ୍କର ଆଦର ପାଇବା ପାଇଁ ସବୁ କଥାରେ ହଁ କରି ଦିଅନ୍ତି- ମାତ୍ର ମୁଁ ବାସ୍ତବରେ କେବେ ମିଛ କ‌ହେ ନାହିଁ । ମିସ୍‌ରାୟ ତ ପ୍ରାୟ ସଦାବେଳେ ମେମ୍ ସାଜିଥାନ୍ତି; ତାଙ୍କର ମୁଣ୍ଡବାଳ ଠାରୁ ଆରମ୍ଭ କରି ଗୋଡ଼ଯାଏ ସେ ବିଂଶ ଶତାବ୍ଦୀର ସଭ୍ୟତାଲୋକିତ ଉଲଗ୍ନ ପ୍ରକୃତିର ମେମ୍‌ଟିଏ । ତା ନ ହେଲେ ମିଶନ୍‌ ସ୍କୁଲରେ ପ୍ରିନିସ୍‌ପାଲ ହେବେ କିପରି ? ବିଲାତରୁ ଫେରି ତାଙ୍କର କୌଣସି ପ୍ରକାରେ ବିଲାତି ଫେଶ୍‌ନ‌ଟା ଦୂର ହୋଇ ନ ଥାଏ ।

"ଦିନେ ମୋତେ ଉପାସନା ଗୀତଗାନ ସମୟରେ ପଚାରିଲେ- "ମନି ! ଆଇ ହୋପ୍ ଇଉ ଲାଇକ୍ ଦି ସାମସ୍ ? (ମୁଁ ଆଶା କରେ- ଧର୍ମସଙ୍ଗୀତ ତୁମ୍ଭଙ୍କୁ ବଡ଼ ଭଲ ଲାଗେ ?)"

ମୁଁ ମିଥ୍ୟା କ‌ହି ପାରିଲି ନାହିଁ- ସତ୍ୟ କ‌ହି ତାଙ୍କ କଟୂ କଟାକ୍ଷରେ ପଡ଼ିଲି ସତ୍ୟ ତେବେ ମୋଠି ଏପରି କଣ ତାଙ୍କର ଶ୍ରଦ୍ଧା ଥିଲା, ସେ ରାଗଟା ଦଣ୍ଡକେ ଭୁଲିଯାଇ ପୁଣି ପ୍ରତିମା ପୂଜାରେ ଅନନ୍ତ ନରକ ଭୋଗ ଶିଖାଇ ବସିଲେ ।

"ମୁଁ କ‌ହିଲି- ନୋ ! ଓଃ ହାଉ ଶକ !" (ନା, ଉଃ ବଡ଼ ଭୟାନ‌କ !) ତାଙ୍କର ଆଖି ଲାଲ ହୋଇଗଲା- ସେ ଗର୍ଜନ କରି ପାଟିକରି ଉଠିଲେ ଏବଂ ଜଗନ୍ନାଥଙ୍କର ନିନ୍ଦାରେ ସେଠା ସ୍ଥାନର ଗ‌ଗନ ପବନ ଏକାବେଳେ ଅପରିଷ୍କାର କରିଦେଲେ । ଜଗନ୍ନାଥଙ୍କ ନିନ୍ଦା ଶୁଣିଲେ ମୋ ଆଖିରୁ ଲୁହ ଗଡ଼ିଯାଏ- ମୁଁ ସମାଳିପାରେ