ଗୋବର ଗୋଟେଇ
ନାହିଁ । ସେଥିପାଇଁ ସେ ମୋତେ ଛଳାଇ କହନ୍ତି- 'ଛି-ଛି, ଏତେବଡ଼ ଶିକ୍ଷିତା ଚତୁରୀ ପିଲାଟା ପିତୁଳାର ନିନ୍ଦା ଶୁଣି କାନ୍ଦୁଚି ! ଆଛା, ମଣି ! ତୁ ତ ହିନ୍ଦୁସମାଜର ପିଲାପରି ଦେଖା ଯାଉନାହୁଁ; ତୋର ଚେହେରା ତ ଖ୍ରୀଷ୍ଟିଆନ ସମାଜ ପରି ସ୍ପଷ୍ଟ ଦେଖାଯାଉଚି । ତୁ ଉନ୍ନତ ସମାଜ ନାମରେ ନାମିତ ହେବାକୁ କୁଣ୍ଠିତ କାହିଁକି ?
"ମୁଁ କିଛିମାତ୍ର କହେ ନାହିଁ । ମୋର ସ୍କୁଲ ଛାଡ଼ିବା ଯାଏ ମିସ୍ ରାୟ ବହୁତ ଚେଷ୍ଟା କରିଚନ୍ତି; ମାତ୍ର ମୋର ଜଗନ୍ନାଥ କୃଷ୍ଣ-ନାମର ପରିବର୍ତ୍ତନ ନ ଦେଖି ଚମକି ପଡ଼ିଚନ୍ତି । ଆଉ ଶେଷରେ ବିଦାୟ ନେଲା-ବେଳେ ମୋତେ କୋଳକୁ ନେଇ କହିଚନ୍ତି- ମଣି ! ତୋର ସତ୍ୟବାଦିତା, ନିର୍ଭିକତା ଏହି ଦଶବର୍ଷ ସର୍ଭିସ୍ରେ କୌଣସି ବାଳିକାଠାରେ କେବେ ମାତ୍ର ଦେଖି ନାହିଁ । ତୁ ମୋର କଣ ଶିଷ୍ୟା ହେବୁ, ତୁ ମୋର ଗୁରୁ । ଦେଖ, ଏଇ ଆଜି ତୋରି ସମ୍ମୁଖରେ ପ୍ରତିଜ୍ଞା କରୁଚି ଯେ, ତୁମେ ଯେତେବେଳେ ମୋର ଏତେ ଚେଷ୍ଟାରେ ଭିନ୍ନଧର୍ମକୁ ଅନ୍ତରର ସହିତ ଗ୍ରହଣ କରିପାରିଲୁ ନାହିଁ, ମୁଁ ସ୍ୱତଃବୃତ୍ତ ହୋଇ ପରର ବେଶଭୂଷା ଆପଣାର କରିବାର ଲୋଡ଼ା କଣ ? ତୋପରି ମୁଁ ନିର୍ମଳ ହେବି-ଜଗନ୍ନାଥଙ୍କୁ ଭକ୍ତି କରିବି-ତୋ ପରି ଶାଢ଼ୀ ପିନ୍ଧିବି-ମୁଁ ହିନ୍ଦୁନାରୀ ହେବି । ଯଦି ସେପରି ସୁବିଧା ମିଳେ, ମୁଁ ନିଶ୍ଚୟ ଏ ଧର୍ମ ତ୍ୟାଗକରି ସ୍ୱଦେଶ ଧର୍ମ ଗ୍ରହଣ କରିବି ।"
ସରୋଜର ହୃଦୟ ପ୍ରଫୁଲ୍ଲ ହୋଇଗଲା । ସେ କହିଲା- "ମଣି, ମୁଁ ତ ଶୁଣିଛି, ମିସ୍ ରାୟ ତୁମ୍ଭ ସ୍କୁଲର ମାଷ୍ଟର ଲାହୋରରେ ହିନ୍ଦୁ ହୋଇ ଯାଇଚନ୍ତି ।"
ସେହିଦିନ ଉଭୟଙ୍କ ହୃଦୟରୁ ପାପତାପ ଦୂର ହୋଇଗଲା । ଅଭିମାନ ଦଃଖର ବନ୍ଧ ଭାଙ୍ଗିଗଲା- ଦୁଇଟି ପରିଷ୍କାର ବିସ୍ତୃତ ସୁନ୍ଦର ଅଗଣା ମଧ୍ୟରୁ ସୁଦୃଢ଼ ପକ୍କା କାନ୍ଥଟି ଉଠିଗଲା ।