ଗୋବର ଗୋଟେଇ
ବିନୋଦର ଚିଠି ଖଣ୍ଡକ ସରୋଜ ଜେମାମଣି ହାତକୁ ବଢ଼ାଇ ଦେଇ ନିତ୍ୟକର୍ମ ସାରିବା ପାଇଁ ତଳକୁ ଚାଲିଆସିଲା । ମଣି ସ୍ନେହରେ ଲୁଚାଇ ଲୁଚାଇ ତାହା ପାଠକଲା । ଥରେ ପଢ଼ିଲା, ଦୁଇଥର ପଢ଼ିଲା, ମଧ୍ୟ ତାର ତେବେ ତୃପ୍ତି ଆସିଲା ନାହିଁ । ତେବେ ବିନୋଦ ତାର ଏତେ ଉପକାରୀ-ବିନୋଦ ତାର ଏତେ ହିତକାମୀ ! ହାୟ, ବିନୋଦ ଭାଇ, ଆମ ପାଖରେ ନ ରହି ଦୂରରେ ରହିବ କାହିଁକି ? ତାର ନାନା ପ୍ରକାର ଚିନ୍ତା ଅଇଲା-
+ + + +
ସରୋଜ ତଳକୁ ଯାଇ ପିଉସୀଙ୍କର ଗର୍ଜନ ଶୁଣି ଥମିଗଲା । ଧନ୍ୟ ପାଟି ! ଏ ପାଟି କାହିଁରେ ତିଆରି ହୋଇଛି, ଏହାର ତିଳେମାତ୍ର ବିଶ୍ରାମ ନାହିଁ ! ଧନ୍ୟ ଧନ୍ୟ ! ସରୋଜ ବୁଢ଼ୀର ଭାବ ଗତିବିଧି ଦେଖିବା ପାଇଁ କହିଲା, "ନାନି ! ମୋର ବିବାହ ଏବେ ୧୫ ଦିନ ପରେ ଶୁକ୍ଳ ଦଶମୀ ଦିନ ହେଉଚି- ଶୁଣିଚ ନା ?"
ବୁଢ଼ୀ ଆନନ୍ଦ ହୋଇ କହି ଉଠିଲା- "ଆଲୋ, ମୋ ବାୟାର ବୁଦ୍ଧି ହେଲାଣି ଲୋ ! ହଉ ହଉ ! କଣ ପାଡୁଷୀଙ୍କ ଘରେ କଲୁପୁଅ ? ଦୁଃଖୀ ତ ଭାରି ଭଲ ପିଲା । ଗୋଟିଏ ଚାଉଳରେ ଗଢ଼ା । ଆଉ ଅଳଙ୍କାର ଦହିମୁଣ୍ଡ ଡାଳରେ ଫୁଲ ଗୁନ୍ଥା ହେଲା ପରି ରହିଚି । ହଉ-ହଉ !
ସରୋଜ ମୁଡ଼କି ହସିଲା । ମାତ୍ର ସେଦିନ ଆଉ କିଛି କହିଲା ନାହିଁ । ମଣିକୁ ସରୋଜ କହିଦେଲା ଯେ, ସେମାନେ ତାକୁ ଯାଚ୍ଛା ତା' କହିଲେ ସେ ଯେପରି ସହିଯାଏ । ମଣି କି ସରୋଜ କଥାକୁ ଅମାନିଆ ହେବ ?
ବୁଢ଼ୀ ଆଉ ଦିନେ ସରୋଜକୁ ଡାକି ମଣି କଥା ନେଇ କେତେ ମନ୍ଦ କଥା ଅତି ଧୀରରେ କହି ବସିଲା- ଯେପରି ସରୋଜ ତାଙ୍କର