ଗୋବର ଗୋଟେଇ
ନିଜର ! ମଣିଟା କିଏ ଗୋଟାଏ କୁଆଡର । ସରୋଜ କିଛି ଉତ୍ତର କଲା ନାହିଁ- ମାତ୍ର ଏତିକି କହି ଅଇଲା "ଦେଖିବା-"
ସେତିକି କଥାରେ ମା ଝିଅଙ୍କର ଏପରି ମନ ମୋଟ ହୋଇଗଲା ଯେ, ମଣିକୁ ଗୋଡ଼େ ଗୋଡ଼େ ଜଗିଲା- କଣ ପଦେ କଟୁ କରି ଶୁଣାଇ ଦେବା ପାଇଁ । ମାତ୍ର ଚତୁରୀ କୁମାରୀକୁ ସୁବିଧାରେ କେହି ପାଇଲେ ନାହିଁ । ମଣି ସେମାନଙ୍କ କଥା ସବୁକୁ ଉପନ୍ୟାସ ଲେଖିବା ପାଇଁ ନୋଟ୍ କରି ରଖିଲା ଏବଂ ତାଙ୍କ କଥାରେ ସେ ହସି ହସି ଗଡ଼ିଗଲା ।
ବିନୋଦ ଯେତେବେଳେ ଆସି ଘରେ ପହଞ୍ଚିଲା- ପ୍ରଥମରେ ତାର ପାଦ ବନ୍ଦନା କଲା ମଣି । ବିନୋଦକୁ କଷ୍ଟ ହେଲା । ମଣିର ଏ କି ସଂବର୍ଦ୍ଧନା ? ପରେ କଥାବାର୍ତ୍ତାରୁ ଜାଣିଲା, ମଣିର ସେ ଯେ ପୁରୋହିତ- ମଣିର ସେ ଯେ ପଥପ୍ରଦର୍ଶକ, ପୁଣି ଭାଇ- ତାର ପ୍ରାଣର ପ୍ରାଣ ସରୋଜର ସଖା- ସେଥିପାଇଁ ଏ ସଂବର୍ଦ୍ଧନା ! ମଣି ପ୍ରଥମେ ପ୍ରଥମେ ନ ଜାଣିଲା ପରି ବ୍ୟବହାର କଲା । ମାତ୍ର ପରେ ବିନୋଦ ପାଖରେ ଧରା ପଡ଼ିଲା । ବିନୋଦର ରହସ୍ୟମୟ ମୁଖ ବି'ପଦ କହିବାକୁ ଭୁଲିଲା ନାହିଁ ।
ଏଥର ସୁଖର ଦିନ ଜୀବନ୍ତ ମୂର୍ତ୍ତି ଧରି ସେମାନଙ୍କର ଅଙ୍ଗ ଧୀରେ ଧୀରେ ପରଶିଲା ।
ଏହି ସମୟରେ ବିନୋଦ ଘରେ ବିଷମ କୋଳାହଳ ଆଣି ଘଟାଇଲା । ସେ ଜାଣେ ନାହିଁ, ସରୋଜର ପିଉସୀ ଏପରି କଜିଆ-ଖୋରଣୀ । ସେ ତଳକୁ ଯାଉଥିଲା, ପଡ଼ିଲା ତାଙ୍କ ହାବୁଡ଼େ ବୁଢ଼ୀ ତାକୁ ଆଦରରେ ପାଖକୁ ଡାକି ନେଲେ, ଆସନ ଖଣ୍ଡିଏ ପକାଇ ଦେଲେ । ଝିଅମୂର୍ତ୍ତିମତ୍ତାଙ୍କୁ ପାନ ଦିଖଣ୍ଡ ଦେବାକୁ କହିଲେ । ବିନୋଦ ବସିଲା । ତାକୁ ଚୁପ୍ ଚୁପ୍ କରି ପଚାରିଲେ-