ଗୋବର ଗୋଟେଇ
ଶୁଣୁ ଶୁଣୁ ବୁଢ଼ୀର ଚେତା ହଜିଗଲା । ସେ କଣ କହିଦିଅନ୍ତା ପରା ? ଖୋରଣୀ ପାଟିକୁ ଓସାର କରି ଆଉ ଥରେ ପଚାରିଲା- "ସତ ପୁଅ ସତ ?"
ବିନୋଦ ଆଦୌ ହସା ହସି କିଛି ନ କରି କହିଲା- "ଆଉ କଣ ତମକୁ ମିଛ କହୁଛି ? ମୋର ଲାଭ କଣ ?"
ଏଥର ବୁଢ଼ୀ ମୁଣ୍ଡ ବୁଲେଇ ନେଲା- "ଆଲୋ, ସାରିଦେଲା ଲୋ- ସାରିଦେଲା ! କୂଳରେ କଳାକନା ଲିପିଦେଲା- ଏ ବୁଦ୍ଧି ତାକୁ କିଏ ଶିଖେଇଲାଟି ? ପିତୃପୁରୁଷ ପାଣିପାତ୍ରିଏ ତ ପାଇବେ ନାହିଁ, ମ-କଣ କଲା ? ହଇରେ ପୁଅ ! ସରୋଜ ପାଇଁ କଣ ଏ ଗୁମାନମୁହୀଁଠୁ ସୁନ୍ଦର ଆଉ ମିଳିଲେ ନାହିଁ ! ମୁଁ ଜାଣେ, ସେ କୋଡରେ ରହି କୋଡ଼ ମାଉଁସ ଖାଇବ । ତା ମୁହଁ, ତା ଆଖି ମୋତେ ଦେଖିଲା ଦିନୁଁ କହି ଦେଇଚି । ଯଃ- ଏଠି ଆଉ ଦଣ୍ଡେ ରହି କରି ନାହିଁ । ଝିଅ, କାଲି ଚାଲ, ଆମର ଚାଲିଯିବା- !"
ବିନୋଦ ହସି ପଳାଇ ଆସିଲା । ବୁଢ଼ୀ ଛି-ଛି-ମ-ମ- ଏପରି ଦିନ ତମାମ୍ ହୋଇ ରାତି ୧୨ଟା ଯାଏ ହେଲେ । ତାପରେ ଆଲୁଅ ଲଗେଇ ଏଥର କାଠି କୁଟା ସଜଡ଼ାରେ ଲାଗି ପଡ଼ିଲେ । ଲୁଚେଇ ଚୋରେଇ କୁଠି ଗଣ୍ଡେ ବିରି- ଗଣ୍ଡେ ମୁଗ ଏପରି କେତେ କଣ ସବୁ ରଖିଥିଲେ, ତାକୁ କନାରେ ବାନ୍ଧି ସଜାଡ଼ି ପକାଇଲେ ! ଝିଅକୁ କହିଲେ- "ଝିଅ ! ଲୋକ ହସିବେ ଏଠି ଆଉ ଦଣ୍ଡେ ରହି କରି ନାହିଁ । ସମସ୍ତେ କହିବେ ତାଙ୍କ ଘରେ ୬୦ ବର୍ଷ ବୁଢ଼ୀଟେ ଥିଲା, ସେ କିଛି କହିପାରିଲା ନାହିଁ । ଭିତର କଥା କିଏ ବୁଝିବ ଲୋ ଝିଅ !"
ରାତି ପାଇଲା । ସରୋଜ ନ ଜାଣିଲା ପରି ହୋଇ ଆସି ପଚାରିଲା, "ପିଉସି ଆଜି ସକାଳୁ କିଆଁ ଗୋଧୋଇ ନାହଁ- ଦିହ କଣ ଖରାପ ଅଛି କି ?"