ଗୋବର ଗୋଟେଇ
ମଟର ଚାଲିଲା । ମଣିକୁ ମା ଝିଅ ଆଦୌ ଚାହିଁଲେ ନାହିଁ । ବଡ଼ ଖିତ୍ ଖିତ୍ ହେଉଥାନ୍ତି । ବକି ଦିଅନ୍ତେ ପରା- ମାତ୍ର ପାଖରେ ଯେ ଆର ପାଖକୁ ଡ୍ରାଇଭର୍ଟା ବସିଛି- କିପରି କଣ କହିବେ; ତେବେ ଗର ଗର ହେଉଥାନ୍ତି ।-ଏଉଟା କିଆଁ ଆମ ସାଙ୍ଗରେ ଆସିଚି ! ମନେ ମନେ ଭାବୁଥାନ୍ତି, ପଇସା ଦିଅଣା କରି ସରୋଜ ବାଟ ଖର୍ଚ୍ଚ ସୁଦ୍ଧା ଦେଲା ନାହିଁ ? ସବୁ ଏଇ ନଟକଟୀର ନବରଙ୍ଗ ! ମା ଝିଅ କଣ କଥାବାର୍ତ୍ତା ହେବାକୁ ମନ କରୁଥିଲେ, ମାତ୍ର ହେବାର କୌଣସି ସୁବିଧା ପାଇଲେ ନାହିଁ । ତେବେ ମଣିକୁ ନଚାହିଁ ବାର ଦିଗରେ ଆଖି ବୁଲାଉ ଥାନ୍ତି ।
ଏହି ସମୟରେ ମଣି ଟଙ୍କାଗୁଡ଼ିକ କାନିରୁ ଫିଟେଇ ଆଗ ଭାଗେ ପିଉସୀଙ୍କ ହାତରେ ଗୁଞ୍ଜିଦେଲା । ଏଥର ପିଉସୀ ଚମକି ପଡ଼ିଲେ । ବୁଢ଼ୀଙ୍କର ରାକ୍ଷସୀ ଭାବ ଦଣ୍ଡକେ କୁଆଡ଼େ ବଦଳିଗଲା । ସ୍ନେହରେ ମୁଣ୍ଡକୁ ମଣିର ଆଉଁଶି ଦେଇ କହିଲେ, "ଆଲୋ ମା, ଦଉଚୁ କିଲୋ ?- ଏ ଝିଅ ସାରାଜୀବନ ତ ପୋଷିବୁ । ତୁ ତ ଆମର ।"
ଏହି ସମୟରେ ମଣି ଆର ପାଖରେ ଝିଅଙ୍କ ହାତରେ ବାକି ୫୦ଟି ଧରାଇ ଦେଇ ଧୀରେ ଧୀରେ କହିଲା- "ନାନି ! ଏଇତକ ନେଇଥାଅ, ବାଟଖର୍ଚ୍ଚ ହେରିକା କରିବ । ଆହା, ତମେ ତ ଚାଲି ଯାଉଚ- ପୁଣି ଆସିବ ?"
ବିଜୁଳି ଆଲୁଅ ଧପ୍ କରି ଯେପରି ଜଳି ଉଠେ ଠିକ୍ ସେହିପରି ଆଖି ପିଛୁଳାକେ ମା' ଝିଅଙ୍କର ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ଲାଗିଲା । ଏଥର ମା ଝିଅମୁହଁକୁ, ଝିଅ ମା ମୁହଁକୁ ଚାହିଁ ଅସ୍ୱକୃତ ପାପକୁ ଦୃଷ୍ଟିଦେଲେ । ଆହା, ସେମାନେ ଏଇ ଶିରୀଷକୋମଳ ଦେହକୁ କି କଷ୍ଟ ଦେଇ ନାହାନ୍ତି- କି ବାକ୍ୟବାଣ ମାରି ନାହାନ୍ତି । କୋଉ ପୁରୁଷରେ