ଗୋବର ଗୋଟେଇ
ସରିଲା । ତାହା ସମସ୍ତେ ବହୁବାର ପଢ଼ିଲେ । ବିନୋଦ ବହୁଦିନୁଁ ଲେଖା ଲେଖି ଚୁଲିକି ଫିଙ୍ଗି ଦେଇଥିଲା । କଲେଜରେ ଥିବାଯାଏ ଗୋଟାଏ ଗୋଟାଏ କେବେ କିପରି ଲେଖୁଥିଲା- ମାତ୍ର ଗୋଡ଼ାଗାଁକୁ ଯାଇ ସେ ଦଣ୍ଡେ ସମୟ ପାଇଲା ନାହିଁ । ସେଥିପାଇଁ ଗୀତ କବିତା ଏକାବେଳେ ଭୁଲିଥିଲା । ଆଜି ତାର ଗଳ୍ପଟି ଅତି ମନୋହର ହୋଇଅଛି । କବିଙ୍କୁ ତାର ସଂଶୋଧନ ଭାର ଦିଆଗଲା-କାରଣ-ସେ ଅନୁଭବୀ ।
ବିନୋଦ ଚତୁର୍ଦ୍ଦିଗରେ ପତ୍ରଲେଖି ପ୍ରାୟ ୭୦-୭୫ ସରିକି ଯୁବକ ବନ୍ଧୁ ଆମନ୍ତ୍ରଣ କରି ଆଣିଲା । ବନ୍ଧୁମାନଙ୍କର ସ୍ତ୍ରୀ-ଭଉଣୀମାନେ ଆସି ଘର ମଣ୍ଡି ପକାଇଲେ । ବିନୋଦର ସ୍ତ୍ରୀ ମଧ୍ୟ ଅଇଲା । ଶୁଭ ଶଙ୍ଖ ଧ୍ୱନି ବାଜି ଉଠିଲା । ହୁଳୁ ହୁଳି ତାନରେ ଗଗନ ପବନ କମ୍ପିଗଲା । ପଡ଼ୋଶୀ ବ୍ରାହ୍ମଣମାନେ ଉଁକି ମାରୁଥିଲେ ।
(୭)
ଦୂର ସ୍ୱର୍ଗ ଧାମରୁ ଦେଖିଯାଅ ବୃଦ୍ଧା ! ଦେଖିଯାଅ-ଶ୍ୟାମବାବୁ । କିପରି ମଣି ସହିତ କାଞ୍ଚନର ମିଶ୍ରଣ ଶୋଭା ଚତୁର୍ଦ୍ଦିଗ ମୁଗ୍ଧ କରୁଅଛି ।
ବୃଦ୍ଧ ! ଏ ସୌଭାଗ୍ୟ ଦେଖିବାକୁ ବିଧାତା ତୁମ୍ଭଙ୍କୁ ଇହଲୋକରେ ରଖିଦେଲା ନାହିଁ ତୁମର "ଗୋବର ଗୋଟେଇ" ଆଜି ରାଜରାଣୀ । ଆଜି ଧନେ-ମାନେ-ବିଦ୍ୟାରେ-ସୌନ୍ଦର୍ଯ୍ୟରେ କୁଳୀନତାରେ ଶ୍ରେଷ୍ଠ ସରୋଜ କୁମାର ମିଶ୍ର ଏମ୍, ଏ ବି, ଏଲ୍ଙ୍କର ସହଧର୍ମଣୀ-ତାଙ୍କ ହଏତ୍ ପଦ୍ମର କମଳା ।
ଯେଉଁ ବାଳିକା, ଦିନେ ଘସିଦିଖଣ୍ଡି ପକାଇ ତାହାରି ଉପାର୍ଜ୍ଜନରେ ପ୍ରାଣରକ୍ଷା କରୁଥିଲା- ଆଜି ସେ କୁବେର ଭଣ୍ଡାରର ଅଧିକାରୀ-ଆଜି ସେ ଶତ ଶତ ନିରନ୍ତ-ଦୁଃଖ କ୍ଳିଷ୍ଟ ପରିବାରର ପୋଷଣ କର୍ତ୍ତୀ ।