ଗୋବର ଗୋଟେଇ
ଏ ସୌଭାଗ୍ୟ ଯାହା ତୁମ୍ଭେ ଦେଖିଲ ନାହିଁ । କେତେ ଯତ୍ନରେ ପାଳନ କରିଥିଲ । ଛିନ୍ନ ଅଞ୍ଚଳ ତଳେ ନିଜର ରକ୍ତ ଦେଇ ବଞ୍ଚାଇଥିଲ, ସ୍ୱର୍ଗରେ ଥାଇ ତାର ସୌଭାଗ୍ୟ ଦେଖ ।
ମହା ସମାରୋହରେ ବିବାହ ସଂପନ୍ନ ହେଲା । ବ୍ରାହ୍ମଣ ପୁଂଗବ ବାଚପ୍ପତି ଶର୍ମା ଏହିବିବାହରେ ପୌରାହିତ୍ୟ କଲେ । ବ୍ରାହ୍ମଣମାନେ ପ୍ରଥମେ ପ୍ରଥମେ ନାନାପ୍ରକାର ଗୋଳ ଯୋଗ ଆରମ୍ଭ କଲେ । କିଏ କେତେ ପ୍ରକାର ଭାବଭଙ୍ଗୀ ଦେଖାଇଲେ ମାତ୍ର "ଅର୍ଥେନ ସର୍ବେ ବଶାଃ"- ବିବାହ ଭୋଜି ଖାଇବା ପାଇଁ ଜଣେ କେହି ଅଟକିଲେ ନାହିଁ ।- ଅନ୍ନଭୋଜନକୁ ବନ୍ଧୁବାନ୍ଧବମାନେ ଆସିବାକୁ ଇଚ୍ଛାକଲେ ନାହିଁ-ମାତ୍ର ଦେଖିଲେ ଯେ ଶିକ୍ଷିତ ଯୁବକ ବାପାମାନଙ୍କୁ ଛାଡ଼ି ଚାଲି ଆସିଲେ । ତେଣୁ ବୁଢ଼ାମାନେ ଅଭିଶାପ ବର୍ଷଣ କଲେ । ମାତ୍ର ଅବ୍ରାହ୍ମଣତ୍ୱ ଯୋଗେ ଅଭିଶାପ ଆଦୌ ଗୁଣକଲାନାହିଁ । ଯେତେବେଳେ ସରୋଜ ସ୍ୱୟଂ ଦୁଆର ଦୁଆର ବୁଲି ବୁଢ଼ାମାନଙ୍କୁ ଡାକିଲା ତେତେବେଳେ କେତେଜଣ ଏ ପାଖ ସେପାଖ ହୋଇ ବିଚାର କଲେ ।
ବିଚାରରେ ଯିବାଟା ଠିକ ହେଲା । ଆସିଲେ ଖାଇଲେ-ମାତ୍ର ଯିବାବେଳେ କଥାଟାକୁ ସ୍ୱୀକାର କଲେ ନାହିଁ-କେହି କେହି ଗାୟତ୍ରୀ ସାବିତ୍ରୀ କରିବେ ବୋଲି ରାତି ପାହିବାକୁ ଅନାଇଁ ବସିଲେ- କେହି ବା "ଘୃତ-ପକ୍ୱାନ୍ନ ଭୋଜନଂ, ନଦୋଷ ଭାକ୍" ଏହି ସୂତ୍ରରେ ଦୋଷ କ୍ଷାଳନ କଲେ ।
ସେମାନଙ୍କର ହୃଦୟ ବୁଝିଲା ନାହିଁ । ଏକକରଣୀରେ ଦୁଇଟି ପାପ (?) ତାଙ୍କୁ ବ୍ୟସ୍ତ କରିଦେଲା । ଏଣେ ବ୍ରାହ୍ମଣ ହୋଇ ବୃଷଳୀ କନ୍ୟା (ଯୁବତୀ) ବିବାହ ପୁଣି କ୍ଷତ୍ରିୟା । ବାପ୍ରେ- କି ଅଘଟନ କଥା !