ଗୋବର ଗୋଟେଇ
ବିନୋଦ ଦିନେ ତାର ସ୍ତ୍ରୀକୁ ଧରି ତାର ଗାଁକୁ ଚାଲିଗଲା । ମଣି ଆଉ ସରୋଜ ତାକୁ ପ୍ରାୟ ଅଧାବାଟଯାଏ ଛାଡ଼ିଯାଇ କାନ୍ଦି କାନ୍ଦି ଫେରି ଆସିଲେ । ମଣି କିଛିଦିନ ପରେ ବିନୋଦ ଗାଁକୁ ଯିବ ବୋଲି ଅମ୍ବିକାକୁ କହିଲା । ବିନୋଦ ସ୍ତ୍ରୀର ନାମ ଅମ୍ବିକା । ସେ ଯେପରି ସୁନ୍ଦରୀ ସେପରି ଗୁଣବତୀ । ତେବେ-ତେତେ ପାଠ ପଢ଼ିନାହିଁ । ବିନୋଦ ଯାହା ଅଳ୍ପ ପଢ଼ାଇଛି । ବିନୋଦ ମଧ୍ୟ ପାଠ ଲୋଡ଼େ ନାହିଁ । ଯାହା ସ୍ତ୍ରୀଠାରେ ଥିବାର ପ୍ରୟୋଜନ ସେ ତାହା ଅମ୍ବିକାଠାରୁ ପାଇ ସନ୍ତୁଷ୍ଟ । ଅମ୍ବିକାର ଗୁଣରେ ମଣି ଏପରି ମୁଗ୍ଧ ହୋଇଥିଲା ଯେ, ତାକୁ ପ୍ରାଣଠାରୁ ଅଧିକ କରି ଭଲ ପାଉଥିଲା । ଦୁହେଁ ଦୁଇ ଭଉଣୀ ପରି ଚଳୁଥିଲେ । ତାଙ୍କ ଭିତରେ ଏହା ମଧ୍ୟରେ କଥାହେଲା ଯେ, ସେମାନେ ସମୟ ନେଇ ଏକାଠି ରହିବେ । ଅମ୍ବିକା ଥିଲା ଗୃହିଣୀ ପରି ବଡ଼ସ୍ଥିର । ମାତ୍ର ମଣିର ଶିଶୁଭାବ ଯାଇ ନ ଥିଲା । ତାର ଗୃହିଣୀର ଦାୟିତ୍ୱରେ କେତେକ ଅଭାବ ଥିଲା । କଳ୍ପନାର କଳ୍ପଲୋକରେ ଭାସିବା ତାର ଥିଲା ବିଶେଷ ଅନୁଭୂତି ।
ଅମ୍ବିକାକୁ ମଣି କଣ ଦେଇ ନଥିଲା- ଧନ ପଦାର୍ଥତ ଯାହା ଦେବାର ଦେଇଥିଲା- ସେକଥା କିଏ ପଚାରେ- ତେବେ ସେ ଆଉ ଗୋଟିଏ ଅମୂଲ୍ୟ ପଦାର୍ଥ ଦେଇଥିଲା- ତାହା- ତାର ପ୍ରାଣର ଭଲ ପାଇବା ।
ସେଥି ମଧ୍ୟରେ ମଣିଥିଲା ସ୍ୱର୍ଗର ପାରିଜାତ ଅମ୍ବିକା ଥିଲା ମର୍ତ୍ତ୍ୟର ମନ୍ଦାର-ଉଭୟଙ୍କର ବିଦାୟ ମିଳନର ଦୃଶ୍ୟକୁ ସ୍ମୃତିକୋଷର ଅମୂଲ୍ୟ ନିଧି କରି ଉଭୟେ ଭିନ୍ନ ଭିନ୍ନ ଦିଗରେ ଗଲେ ।
କବିଙ୍କ ତୁଣ୍ଡରୁ ଶୁଭିଲା-
ବିରହ ଦହନେ ନ ତାତିଲେ ତନୁ
ମିଳନ ମାଧୁରୀ ପାଶୋରନ୍ତା ମନୁ