ଗୋବର ଗୋଟେଇ
ନଥିଲେ ବଜର ବରଷନ୍ତା ଘନୁଁ
ସୁଧାରସ ଧାରା କେ କରନ୍ତା ପାନ ।
ସମାଜର କୁସଂସ୍କାର ଗୌରବ ଚୁଡ଼ାକୁ ସରୋଜ ଭାଙ୍ଗିଦେଇ କେତେ ସମାଜ ମିତ୍ରଙ୍କଠାରୁ ଗାଳିଖାଇଲା, ମାତ୍ର ଦେଶର ପ୍ରତ୍ୟେକ ପତ୍ର ପତ୍ରିକା ତାର ମଙ୍ଗଳ ଚିନ୍ତାକଲେ- ତାକୁ ଧନ୍ୟବାଦ ଦେଲେ । ଏ ବିବାହର ନୂତନତ୍ୱରେ ପତ୍ରିକା ମଣ୍ଡଳୀ ଛବି ମାଳରେ ଭୂଷିତ ହୋଇ କାଟଭିର ସୀମା ରଖିଲେ ନାହିଁ । "ଶେଷରେ ମଣି-ସରୋଜ" ଛବି ଦର୍ଶକକୁ ନବଭାବରେ ବିମୁଗ୍ଧ କରି ଦେଇଥିଲା ।
ସେମାନଙ୍କର ପ୍ରଦର୍ଶିତ ପଥରେ ଦେଶର ଶତ ଶତ ଯୁବକ ଆଗଭର ହୋଇ ପଥିକ ହେଲେ । ସେମାନଙ୍କର ସୁଗୁଣ ସୌରଭ ଚତୁର୍ଦ୍ଦିଗରେ ବିକିରିତ ହେଲା । ଲେଖକ ବିଚରା କର୍ତ୍ତବ୍ୟ ଚକରୁ ପଛକେ ଶତ୍ରୁକାରେ ନାଁଟି ଦେଖାଇବା ପାଇଁ ଲେଖିଲା-
"ସେ ସୌରଭେ ବ୍ରାହ୍ମଣର ଦର୍ପ ହେଲା ଚୂନା ।
ଚାଣ୍ଡାଳ ରଚିଲା ନିତି ଦେବ ଅରଚନା ।
ପତିତ ସେ ସୌରଭରେ ହୋଇଲା ଜାଗ୍ରତ ।
ଶଠତା ଭଣ୍ଡତା ଯେତେ ଦଳିଲା ମହତ ।"
ସନାତନ ଧର୍ମ ସଂସ୍କୃତ ହେଲା- ଅର୍ଯ୍ୟ ଗୌରବ ରବି ବିକଶି ଉଠିଲା ।
+ + +
ବାଡ଼ି ପଛ ବଗିଚାରେ ଗୋଟିଏ ଗଛ ମୂଳେ ବସି ସରୋଜ ଚାହିଁଥିଲା ଦୂର ଆକାଶକୁ ଏବଂ ତାର ଜୀବନର ଲକ୍ଷକୁ ଚିନ୍ତା କ୍ଷେତ୍ରକୁ ଟାଣୁଥିଲା । ତା' ମନରେ ଗୋଟାଏ ଅପୂର୍ବ ଆନନ୍ଦ ଆସିଲା,