ଗୋବର ଗୋଟେଇ
ଶ୍ୟାମ ବାବୁ ଠିକ୍ ପିଲା ପରି ହେଲେ । ଛତୁକୁ ୩ ଭାଗ କରି ସେଥିରୁ ଭାଗେ ରେକାବିରେ ଅଲଗା କରିଦେଇ ବାକିତକ ଘେନି ବସି ମଣିକି ଡାକିଲେ । ମଣି ପ୍ରଥମେ ଶଙ୍କା କରି ଗଲା ନାହିଁ । ତାକୁ ଆସି ଟାଣି ନେଇ କୋଡ଼ରେ ବସାଇ ବାବା ଝିଅ ଏକାଠି ଖାଇ ବସିଲେ ।
ମଣି ଡାକିଲା- "ତମେ ମୋର ବାବା ?"
ବୁଢ଼ୀ କହିଲେ, "ତୁ ମୋର ପୁଅ ? କି ଭାଗ୍ୟବତୀ ମୁଁ ?" ଶ୍ୟାମ ବାବୁ ଉତ୍ତର ଦେଲେ, "ହଁ ମା, ମୁଁ ତୋର ବାବା, ହଁ ମା, ମୁଁ ତୋର ପୁଅ । ବାକିତକ ଚାଉଳ ଭାତ ରାନ୍ଧ- ଖାଇବା" କହି ମଣିକି ଖୁଆଇ ଦେଲେ । ମଣି ଆଉ ବୁଢ଼ୀ ଏ ଉଭୟଙ୍କର ମନ ଯେ କଣ ହେଲା ସେ ଜାଣନ୍ତି । ଏଭଳି ଆନନ୍ଦ ତାଙ୍କ ଜୀବନରେ ପ୍ରଥମ । ବୁଢ଼ୀ ସମ୍ଭାଳି- ପାରିଲେ ନାହିଁ, କହିଲେ, "ବାପା, ତୋରି ଚେହେରା ଘେନି ଆଗ ତ କିଏ ଗୋଟିଏ ପିଲା ଆସି ଥିଲା- ମୋଘରକୁ, ଠିକ୍ ସେ ତୋପରି । ମୋତେ ଜୋର୍ କରି ଧରିଲା, ତୁମେ ଆମଘରକୁ ଆସ । ମାତ୍ର ମୁଁ ନାହିଁ କଲି । ସେ ୪୦ ଟଙ୍କା ଆଣି ମୋ ଜମି ରଖି ଦେଇଗଲା । ଆହା, ସଂସାରରେ ଏଭଳି ଲୋକ ନଥିଲେ ଏ ଅସୁର ପୁରୀରେ ମଣିଷ କିପରି ବଞ୍ଚନ୍ତା ?"
ଶ୍ୟାମ ବାବୁ କହିଲେ- "ବୁଝିଛି ମା, ବୁଝିଛି, ସେ ପିଲାଟି ମୋରି ପୁଅ, ମୋର ସେଇ ଗୋଟିକ କୁଜାଙ୍କୁର, ତାକୁ ଆଶୀର୍ବାଦ କର ମା !"
ବୁଢ଼ୀ କହିଲେ- "ଆହା ! ତୋରି ବାପା, ସେ ପୁଅ ? କି କପାଳ ମୋର । ତା ନହେଲେ ଏପରି ସୁନ୍ଦର, ଏପରି ସରଳ, କୋମଳ ଦୟାଳୁ ଆଉ କିଏ ହେବ ?"
ଶ୍ୟାମ ବାବୁ ମଣି ଯେତେ କଥା କହିଥିଲା ସବୁ କହିଗଲେ । ବୁଢ଼ୀ ଆଶ୍ଚର୍ଯ୍ୟ ହେଲେ ଯେ, ଏତେ ଅଳପ ସମୟ ଭିତରେ ସେ ସବୁକଥା ଶୁଣି ଯାଇଚନ୍ତି ।