ଗୋବର ଗୋଟେଇ
ବୃଦ୍ଧାଙ୍କ ଆଖିରୁ ଲୁହଧାର ଖସିଗଲା । ସେ ଆଉ କିଛି କହିପାରିଲେ ନାହିଁ- କଣ କହିବାକୁ ଯାଉଥିଲେ ତାଙ୍କର ପାଟି ବନ୍ଦ ହୋଇଗଲା । ମଣି କେବଳ ପଚାରିଲା "ବାବା ! ତମେ ଆଉ କଣ ଆଉ ଘରକୁ ଆସିବ ନାହିଁ ? ମତେ ଟିକିଏ ସରୋଜ ଭାଇକୁ ଦେଖାଇବ ନାହିଁ ?"
ଡିପୋଟୀ ବାବୁ ତାକୁ ଗୋଟିଏ ବିଦାୟ ଚୁମ୍ବନ ଦେଇ କହିଲେ, "ହଁମା ! ମୁଁ ପୁଣି ଆସିବି ଯେ । ସରୋଜ ଭାଇ ଛୁଟିରେ ଘରକୁ ଫେରିଲେ ସେ ମଧ୍ୟ ଆସିବ ।"
ବାଳିକା କିଛି କହିପାରିଲା ନାହିଁ- ଛନ ଛନ ହୋଇ କେବଳ ଚାହିଁଲା । ଧୀରେ ଧୀରେ ପଛକୁ ଚାହିଁ ଚାହିଁ ଶ୍ୟାମବାବୁ ଅଦୃଶ୍ୟ ହେଲେ- ମଣିର ଇନ୍ଦୀବର ଡୋଳା ଦୁଇଟିର ଛଳ ଛଳ ଚାହାଣୀ, ଆଉ ବୃଦ୍ଧାଙ୍କର ଅଶ୍ରୁଭରା ମୁଖର ସ୍ମୃତି ଘେନି ।
ଏଣେ ମଣି ଆଉ ତାର ମା' ଘରକୁ ଯାଇ ଶ୍ୟାମବାବୁଙ୍କ କଥା କଥାବାର୍ତ୍ତା ହେଲେ ଏବଂ ଦିନ ଗଣିଲେ ପୁଣି କେବେ ସେ ତାଙ୍କ ଅତିଥିଙ୍କୁ ଭେଟିବେ ?-
ବୁଢ଼ୀମା ଆଉ ନାତୁଣୀ ସକାଳେ ଗୋଧୋଇ ପାଧୋଇ କାଲି ରାତିର ପଖାଳ ଗଣ୍ଡାକ ଖାଇ ଥିର ହୋଇ ବସିଚନ୍ତି, ଏହି ସମୟରେ ଘସି ଖରିଦ ବାଲା ଦୁଆରେ ଆସି ଡାକିଲା "ମଣି ! ମଣି ! ମଣି !-"
ବୁଢ଼ୀ ଦୁଆର ଫିଟାଇ ତାଠୁ ପାଞ୍ଚସୁକା ଅଚକାର ନେଇ ଘରକୁଗଲେ । ମନରେ ଆନନ୍ଦ ହେଲେ, ଏହିକ୍ଷଣି କେତୋଟା ଦିନ ସୁରୁଖୁରୁରେ ମଣିଷ ଚଳିଯିବ । ନୋଟଖଣ୍ଡ ଭଙ୍ଗେଇଲେ ଘର ଖଜଣାଟା ପଧାନକୁ ଦେଇ-