ଦେବି, ଆଉ ଦେଖିକରି ତାକୁ ଭଙ୍ଗେଇ ନେବି । ଘସିବାଲା ଯାହା ଘସି ଥିଲା, ସେତକ ନେଇ ବୁଢ଼ୀଙ୍କଠୋଉ କିଛି ପଇସା ଧରି, କାରବାର ଆଣି ଦେବାକୁ ଚାଲିଗଲା ।
ଯିବା ଆଗରୁ ବୁଢ଼ୀ ପଚାରିଲେ- "ହଇରେ କାହ୍ନୁଆ ! ଖଣ୍ଡେ ନୋଟ ଭଙ୍ଗେଇ ଦେଇ ପାରିବୁ ?"
କାହ୍ନୁଆ ହସି ଦେଇ କହିଲା- "ମା' କଣ ସପନ ଦେଖୁଛ- ନୋଟ କୁଠୁ ପାଇଲ ?"
ବୁଢ଼ୀ ସବୁ କଥା କହିବାରୁ ସେ ଆନନ୍ଦ ହୋଇ କହିଲେ- "ମା, ପ୍ରଭୁଙ୍କୁ ଡାକୁଥିଲି- ମତେ ଏହି ମଣିକି ଦେଖିଲେ ବଡ଼ କାନ୍ଦ ମାଡ଼େ- ଆହା, କେଡ଼େବଡ଼ ଲୋକ ଘର ଝିଅ କଣ ହେଇ ଗଲାଟି ? ପ୍ରଭୁ ତେବେ ଗରିବ ଗୁହାରୀ ବୁଝୁଛନ୍ତି ? ହଉ ମା, ମୁଁ ମାଢ଼ୁ ଆଳିଠୁ ବୁଝି କହିବି ।"
ସେ ଚାଲିଗଲା । ବୁଢ଼ୀ ଘର ଭିତରକୁ ଆସି ଦେଖିଲେ, ମଣି ନିବିଷ୍ଟ ଚିତ୍ତରେ କାଳି କଲମ କାଗଜ ଧରି କବିତା ଯୋଡ଼ୁଚି । ସେ ବେଳ ପାଇଲେ ଏପରି କେତେ କବିତା ଲେଖେ । ଆଜି ତାର ବାବା- ପାଇଁ ସେ ଗୀତ ତିଆର କରୁଚି । ତାଙ୍କର ମନ ବଡ଼ ଆନନ୍ଦ ହେଲା । ସେ ମଧ୍ୟ ପାଖରେ ବସି ତାକୁ ସାହାଯ୍ୟ କଲେ । ଗୀତଟି ତିଆରି ସରିବ । ପରେ ମଣି ତାର ସ୍ୱଭାବସୁଲଭ ମଧୁର କଣ୍ଠରେ ଗାଇଲା-
"ଗୁଣବନ୍ତ ହେ ତୁମେ ଆମ ରାଇଜେ
ଗରିବ ଦୁଆରକୁ ଆସିଲ ଯେବେ । ୧
କି ଦେଇଣ କରିବୁ ତମରି ପୂଜା
ଆମ ଘରେ ତ ନାହିଁ ମୁଠିଏ ଭୁଜା । ୨