ଦେଖିବା- କହି କହି ସେ ଛି-ଛି ହୋଇ ଚାଲିଗଲେ । ଗୋଟିଏ କାନ୍ଥକୁ ଆଉଜି ବୁଢ଼ୀ କାଠପିତୁଳାପରି ରହିଗଲେ । କାହାକୁ ପାଟି-ଫଟାଇ କଥାପଦେ କହିପାରିଲେ ନାହିଁ ।
ହାୟ, ଗରିବର ସବୁଠାରେ ବିପଦ- ଗରିବ ସବୁଠାରେ ହେୟ । କିଆଁ ସେ ଡିପୋଟିବାବୁ ସେଦିନ ଅଇଲେ- କିଏ ତାଙ୍କୁ ମାଗୁଥିଲା- ସେ ଗୁଞ୍ଜିକରି ଦେଇଗଲେ- ଆହା ନିର୍ବଳ ଦୁଇଟି ପ୍ରାଣୀ କି ବିପଦରେ ପଡ଼ିଲେ ? କେହି ଶୁଣିଲା ନାହିଁ- କେହି ବୁଝିଲା ନାହିଁ
ଦଶଟାବେଳେ ପୋଲିଶ ଆସି କିଛି ବିଚାର ନ କରି ହାତକଡ଼ି ଦେଇ ବୁଢ଼ୀଙ୍କୁ ଦାଣ୍ଡେ ଦାଣ୍ଡେ ଘେନି ଚାଲିଗଲା । ସେ କେବଳ ପ୍ରଭୁଙ୍କୁ ଡାକୁଥିଲେ "ପ୍ରଭୁ ! ଆଉ କଣ ଏ ଦୁଃଖିନୀର ମୃତ୍ୟୁ ନାହିଁ ?"
ପୃଥିବୀ ତମକୁ କଣ ଲଜ୍ଜା ଆସିଲା ନାହିଁ, ତମେ ସହିଲ କିପରି ? ସୀତାଙ୍କର ଅପମାନରେ ପରା ତୁମେ ଦିନେ ଫାଟି ଯାଇଥିଲ ? ଆଜି ଫାଟି ଯାଉନାହଁ । ଯେଉଁ ବୃଦ୍ଧାନାରୀ ତାର ୮୦ ବର୍ଷର ଦୁଃଖମୟ ଜୀବନମଧ୍ୟରେ ଦିନେ ସଫାକରି ଦାଣ୍ଡ ଦେଖି ନ ଥିଲା ତାକୁ ଆଜି ବିନାଦୋଷରେ ଏପରି ଦଣ୍ଡିତ ହେବାର ଦେଖି ତମକୁ ଦୁଃଖ ଆସୁନାହଁ ? ବଜ୍ର ତାଙ୍କ ଉପରେ ପଡ଼ିବାକୁ- ଆକାଶ ତାଙ୍କ ମୁଣ୍ଡରେ ଭାଙ୍ଗିଯିବାକୁ ସେ ପ୍ରଭୁଙ୍କୁ କେତେ ଅନୁନୟ ବିନୟ କଲେ- ମାତ୍ର ତାହା ହେଲା ନାହିଁ । ଯାହାକୁ ଚୋରଣୀ ବୋଲି ହଜାର ହଜାର ଲୋକ ଦାଣ୍ଡଘାଟ ପୂରି ଦେଖିବେ ସେ ମରିବ କିପରି ?