ଗୋବର ଗୋଟେଇ
ଏଥର ଥାନା ଦୁଆରେ ଧମକ ଚମକ ଆରମ୍ଭ ହେଲା । ସେଇ ଡିପୋଟି ବାବୁଙ୍କଠୁ ସେ ଟଙ୍କା ପାଇଚନ୍ତି, ଏହାଛଡ଼ା ଆଉ କିଛି ମାତ୍ର କହିଲେ ନାହିଁ । ସେ ଦିନତମାମ ଉପାସରେ ମା'ଝିଅ ରହି ଉପର ବେଳକୁ ସହରକୁ ଦୁହେଁ ଚାଲାଣ ହେଲେ । ବାଟରେ କେତେଥର ବୁଢ଼ୀ ପଡ଼ିଗଲେ- ମଣିଟିର ଦେହରେ ପ୍ରାଣ ନ ଥିଲା । ତିନିମାଇଲ ବାଟ କିପରି ଯିବେ ? ହିନ୍ଦୁସ୍ଥାନୀ ପୋଲିଶଟି ଦୟାକରି ଓଡ଼ିଆ ପୋଲିଶ ସହିତ ଝଗଡ଼ା କରି ଏହି ଦୁହିଙ୍କୁ କିଛି ଜଳଖିଆ ଖୁଆଇବାର ବନ୍ଦୋବସ୍ତ କଲା । ମାତ୍ର ବହୁ ଅନୁନୟ ବିନୟରେ ମଣି ଦି'ମୁଠା ହବ ଖାଇଲା, ଜାଣି ବୁଢ଼ୀ ଜଳ ସ୍ପର୍ଶ କଲେ ନାହିଁ ।
ବଡ଼ ଥାନାରେ ହାଜତରେ ଦୁହିଙ୍କୁ ଭରି ଦିଆଗଲା ଏବଂ ତାଙ୍କୁ ଧମକ ଦେଇ ପଚାରିଲେ ଯେ, କେଉଁ ଚୋରମାନେ ତାଙ୍କ ସଙ୍ଗରେ ଅଛନ୍ତି ? ମାତ୍ର ସେହି ଡିପୋଟି ବାବୁ କଥାଟି ଛଡ଼ା ଆଉ ଦ୍ୱିତୀୟ କଥା ତାଙ୍କଠୁ ବାହାରିଲା ନାହିଁ । ଏଣେ ଗାଁରୁ ପମାଣ ସବୁ ମିଳିଗଲା । ମୁଦେଇ ପକ୍ଷରେ କେତେ ଯେ ସାକ୍ଷୀ ଆସି ହାଜର ହୋଇଗଲେ ତାର ସୀମା ନାହିଁ । ଏଣେ ସମସ୍ତେ ବୁଢ଼ୀ ଯେ ଏପରି ବହୁତ ଥର ଚୋରି କରି ଧରା ପଡ଼ିଚି, ତାହା କହିବାକୁ ଭୁଲିଲେ ନାହିଁ । ଦିନ ଦିନ ହୋଇ ଦୁଇ ଦିନ ଗଲା । ବୁଢ଼ୀ ଜଳସ୍ପର୍ଶ କଲେ ନାହିଁ । ମଣିଟି କେବେ କିମିତି ମୁଠିଏ ଭୁଜାଛଡ଼ା ଆଉ କିଛି ଖାଇଲା ନାହିଁ । ଏଣେ ଥାନାରେ କାଗଜପତ୍ର ରୀତିମତ ହୋଇ ମାଜିଷ୍ଟ୍ରେଟ୍ କୋଟ୍କୁ ପଠା ହେବାର ସ୍ଥିର ହେଲା ।
ଡିପୋଟି ଶ୍ୟାମବାବୁ ଆଜକୁ ପାଞ୍ଚଦିନ ହେଲା ଗସ୍ତରେ ଯାଇଥିଲେ । ଯେଉଁଦିନ ବଡ଼ ସାହେବ ପାଖରେ ମୋକଦ୍ଦମା ବିଚାର ହେବାର କଥା, ସେହି ଦିନ ସେ ମାଜିଷ୍ଟ୍ରେଟ ସାହେବଙ୍କୁ ଫେରିବା ପରେ ସାକ୍ଷାତ୍