ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅନ୍ଧାର ରାତି- ତଳେ କାଦୁଅ- ଉପରେ ମେଘ । ବରଷାର ଧାରା ଗୋଟିଏ ମୁହୂର୍ତ୍ତପାଇଁ କେବେ ହେଲେ ଅଟକି ନାହିଁ । ଘଡ଼ଘଡ଼ି ଚଡ଼ଚଡ଼ିରେ ପୃଥିବୀ କମ୍ପି ଉଠୁଛି । ବେଳେବେଳେ ବିଜୁଳି ମାରିଦେଲେ ଦିଶୁଚି- ସଡ଼କ ଉପରେ ଆଣ୍ଠୁଏ ଉଚ୍ଚରେ ପାଣିଧାର, ବିଲ ବାଡ଼ି ସବୁ ଜଳମୟ । ବାଟୁଆ ଲୋକ ସଞ୍ଜବେଳେ ମେଘକୁ ଦେଖି କେବେ ବୁଝି- ନ ଥିଲା ଯେ- ଏତେ ପାଣି ମେଘ ସାଇତି ରଖିଚି, ଆଜିପାଇଁ ବୋଲି । ଚାରିଦିନ ହେଲା ମେଘ ଧରିଥିଲା, କିଏ ଜାଣେ, ଆଜି ଏବେ ଭୂଷଣ୍ଡ ପାହାର ପାଣି ଅଜାଡ଼ି ଦେବ? ଖାଲି ବର୍ଷା ହେଲେ ବାଟୋଇ ଏତେ ଅଡ଼ୁଆରେ ପଡ଼ି ନଥାନ୍ତା- ଘନ ଘନ ଚଡ଼ଚଡ଼ି ସହିତ କୁଆପଥର ବର୍ଷା- ପୁଣି ତା ସାଥିରେ ପ୍ରବଳ ପବନ । କେଉଁଟି ମଣିଷ ସହିବ? ଗୋରୁଗାଈ ଗୋଠରୁ ଫେରି ନ ପାରି କିଏ କୁଆଡ଼େ ଯେ ଗଲେ ତାର ପତା ଗଉଡ଼ ବିଚରା ପାଇ ନାହିଁ- ସେ ତା'ପ୍ରାଣ ବଞ୍ଚାଇବା ପାଇଁ ଗଛମୂଳ ଆଶ୍ରା ଧରି ଏ ପାଖ ସେ ପାଖ ହେଉଚି । ଏ ବର୍ଷା କାହାର ଇଜ୍ଜତ ମହତ ଆଜି