ସବ୍ଇନିସ୍ପେକ୍ଟର ବାବୁ ଥତମତ ଖାଇ ଗଲେ- ତାଙ୍କର ବୁଦ୍ଧି ବଣା ହୋଇ ଗଲା । ରକ୍ତ ଆଖି ନୀଳ ହୋଇ ଗଲା- କଣ୍ଟିଆ ନିଶ ଲଇଁ ପଡ଼ିଲା । ଆହା, ସେତ ଏତେ କଥା ପରୀକ୍ଷା କରି ନାହାନ୍ତି । ସେ ତ ଦରୋଗା ବାବୁ, ତାଙ୍କ ତଳେ କେତେ ଜମାଦାର । ସେ ଏଗୁଡ଼ାକ କିଆଁ ଦେଖନ୍ତେ ? ଆଉ କିଛି କହି ପାରିଲେ ନାହିଁ । ସ୍ଥିର ହୋଇ ଛିଡ଼ା ହେଲେ ।
ଏଥର ମାଜିଷ୍ଟ୍ରେଟଙ୍କର ରକ୍ତ ଚକ୍ଷୁ ବଦଳିଗଲା- ସେ ଧୀରେ ଧୀରେ ମୁଦାଲାମାନଙ୍କୁ ଟିକିଏ ଚାହିଁ ବାଳିକାଟିକୁ ପଚାରିବାକୁ ପେଷ୍ଟାରକୁ କହିଲେ ଯେ- ତାକୁ ଗାଁର ଲୋକ ଏବଂ ପୋଲିଶ କିପରି ଦଣ୍ଡ ଦେଇଚି ? ଆଉ ତାର ମାଁ ବୁଢ଼ୀକୁ କିପରି ଦଣ୍ଡ ଦେଇଚି ? ସେ ବୁଝି କହୁ ।
ଚତୁରୀ ବାଳିକା ବହୁବେଳୁ ଚାହିଁ ଥିଲା- ଏଇ ମୋର ବାପା ହେବେ ପରା ? ମାତ୍ର ଥରେ ମାତ୍ର ସେ ଦେଖିଚି, ସେଥିପାଇଁ ମନରେ ଭରସି ଠିକ୍ କରି ପାରୁ ନ ଥିଲା । ଦୋ ଦୋ ପାଞ୍ଚିଆ ହୋଇ ରହିଥିଲା । ଏଥର ପେଷ୍ଟାରର ଧୀରସ୍ଥିର ବାଣୀରେ ତାର ମୁଖଦ୍ୱାର ଖୋଲିଲା । ନିଜ ଦୁଃଖ ତ ସେ ଜାଣେ, ଆଉ ତାର ବୁଢ଼ୀ ମା'ଠୁ ରାତିରେ ହାଜତରେ ଥିଲାବେଳେ ଗାଁର ଖବର, ତା' ବୁଢ଼ୀମା' ପ୍ରତି ଅତ୍ୟାଚାରର କଥା ସେ ଶୁଣିଥିଲା । ତେଣୁ କହିବାକୁ ମନ କଲା- ପୁଣି କହିବାକୁ ସାହସ ହେଲା ନାହିଁ । ମାଜିଷ୍ଟ୍ରେଟଙ୍କର ଅନୁମତିରେ ପେଷ୍ଟାର ବାବୁ ବାଳିକାକୁ ପାଖକୁ ନେଇ ସମସ୍ତ କଥା କହିବାକୁ ଅତି କୋମଳ ସ୍ୱରରେ କହିଲେ ।
ମଣି ଧୀରେ ଧୀରେ କାନ୍ଦି କାନ୍ଦି ସବୁ କଥା ଗୋଟିକଠୁ ନିଖକଯାଏ କହିଗଲା । ଏହି ସମୟରେ କଚେରୀ ବାହାର ପିଣ୍ଡାରେ କାନ୍ଦଣା ଶୁଭିଲା । ଗୋଟିଏ କିଏ ମୂଲିଆ ଲୋକ କାନ୍ଦି କାନ୍ଦି କୋଟ୍ ଭିତରେ ପଶିଯାଇ ଭୋ