ବଜ୍ର ପଡ଼ିଥିଲେ ଆଜି ସେ ଯେପରି ଚମକି ପଡ଼ିଲେ ଏପରି ଚମକି ନଥାନ୍ତେ ତାଙ୍କର ମନେ ହେଲା- "ହାୟରେ ଦୁର୍ବିପାକ ! ଆଠ ପ୍ରାଣୀ କୁଟୁମ୍ବ, କିପରି ବଞ୍ଚିବେଟି ? ଟିକିଏ ଭଲ କରି ନିଜେ ଦେଖିଲି ନାହିଁ- ଅପର ଉପରେ ପକାଇ ଏ ଦଶା ଭୋଗିଲି । ହାକିମ ଦୟାଳୁ । ଆଜି ଏହି କେଶ୍ ମାଜିଷ୍ଟ୍ରେଟଙ୍କ କୋଟରେ ପଡ଼ିଥିଲେ ଏତବେଳକୁ ସବୁ ସରନ୍ତାଣି । ଆଉ ଡିସ୍ମିସ ହେବାର କେତେ ଦୂର ଥିଲା । ଏ ହାକିମ୍ ଡିସ୍ମିସ କରି ନାହାନ୍ତି । ସମ୍ଭବତଃ ଗରିବଟାକୁ ଜରିମାନାରେ ଖଲାସ ଦେବେ ପରା ? କଣ ହେବ କେଜାଣି ? ମା ଠାକୁରାଣୀ ଜାଣନ୍ତି ।"
ଏଣେ ସାଇ, ଦାଣ୍ଡ, ଘାଟ, ବାଟ, ଚାରିଆଡ଼େ କଥାଟା ପ୍ରଚାର ହୋଇଗଲା । ସମସ୍ତେ ଶ୍ୟାମ ବାବୁଙ୍କୁ ଧନ୍ୟ ଧନ୍ୟ କଲେ । ଆଉ ସେ ଦୁଃଖୀ ବିଚାରୀଙ୍କ କାହାଣୀ ଶୁଣି ଏପରି ଦୁଃଖ କଲେ ଯେ ସମସ୍ତଙ୍କ ଆଖିରୁ ଲୁହଧାରା ବୋହିଗଲା ।
ମକଦ୍ଦମା ରାୟ ଦେବାର ବାସିଦିନ ସମସ୍ତେ ଦୈନିକ ଖବରକାଗଜ 'ନବୀନ'ରେ ଦେଖିଲେ ବଡ଼ବଡ଼ ଅକ୍ଷରରେ ୭୦ ପୃଷ୍ଠାରେ ଲେଖାଅଛି-
ପୋଲିସର ଅନ୍ୟାୟ
ହିନ୍ଦୁମହିଳାର ଅପମାନ ଏବଂ ସାରା ତିନି ଦିନ ଉପବାସ ନିର୍ଦ୍ଦୋଷ ଦଶ ବର୍ଷର ବାଳିକା ଏବଂ ୮୦ ବର୍ଷର ବୃଦ୍ଧା ଉପରେ ପୋଲିଶ କଠିଣ ଦଣ୍ଡାଘାତ ।
ମାନନୀୟ ଧର୍ମାବତାର ଡିପୋଟି ମାଜିଷ୍ଟ୍ରେଟଙ୍କ ଦ୍ୱାରା ସତ୍ୟ ଉଦ୍ଘାଟନ- ମୁଦେଇକୁ ମିଥ୍ୟା ପ୍ରତାରଣା ଯୋଗୁଁ ଏବଂ ଭଦ୍ରମହିଳାର ମହତ୍ତ୍ୱ ହାନି କରିବା ଯୋଗୁଁ ତାହାର କେତେକ ସଙ୍ଗୀ ସହିତ ଏବଂ ଜଣେ କନେଷ୍ଟବଲ୍ ସହିତ ସଶ୍ରମ କାରାବାସ, ଅନେକ ପୋଲିଶଙ୍କର ଡିସ୍ମିସ୍ ଅଡର, ଆଉ ସବ୍ ଇନ୍ସପେକ୍ଟରଙ୍କର ସସପେଣ୍ଡ୍ ଆଦେଶ