ପଡ଼ି ଗଲେ । ଶ୍ୟାମ ବାବୁ ଘର ଭିତରକୁ ବଡ଼ କଷ୍ଟରେ ନେଇ ଖଟଉପରେ ଶୁଆଇ ଦେଲେ । ଆଉ ମଧ୍ୟ ଡାକ୍ତରଙ୍କୁ ଡାକିବାକୁ ଚାକରକୁ ଆଦେଶ ଦେଲେ ।
ଗଣ୍ଡା ଗଣ୍ଡା ଡାକ୍ତର ଅଇଲେ- ସିଭିଲ୍ ସର୍ଜ୍ଜନ ପର୍ଯ୍ୟନ୍ତ ଆଣିବାକୁ ଶ୍ୟାମବାବୁ ଭୁଲିଲେ ନାହିଁ; ମାତ୍ର ଦଇବର ଆଦେଶ ଅମାନ୍ୟ କରିବାକୁ କାହାର ସାଧ୍ୟ ଅଛି ? ଦୁଇ ଦିନପରେ ବୁଢ଼ୀଙ୍କର ଚେତନା ଫେରି ଅଇଲା । ଚେତା ହୋଇ ଆଖି ମେଲାଇ ଚାହିଁଲେ ଏବଂ ମଣିକୁ ପାଖକୁ ଡାକିଲେ ।
ମଣି ଏ କେତେ ଦିନ ହେଲା ଦିନରାତି ମାର ପାଦତଳେ ବସିଅଛି । ଆଉ ଆଖିରୁ ଲୁହ ଧାରା ବୁହାଇ କାନ୍ଦୁଛି । ତାର କୋମଳ ମନରେ ଯେ କି ଆଘାତ ଆସିଚି ସେ ଜାଣେ । ଶ୍ୟାମ ବାବୁ ଆଜି ସ୍ନେହରେ ତାକୁ ଯେତେ ସାନ୍ୱନା ଦେଉଅଛନ୍ତି- ବାଳିକା ଶେଷର ସନ୍ତୋଷ ହୋଇ ପାରୁ ନାହିଁ- ପ୍ରକୃତରେ କହୁଁହେବ ? ସେ ଯେ ଏହି ବୁଢ଼ୀର କୋଳରେ କାଖରେ ପାଞ୍ଚ ବର୍ଷ ଦିନୁ ପାଳି ହୋଇ ଆସିଚି- ସୁଖରେ ଦୁଃଖରେ, ଆଲୁଅରେ ଅନ୍ଧାରରେ, ସେ ତାଙ୍କ ସହିତ ସଦାବେଳେ ସାଥିଥିଲା । ହାୟ ! ତାର ମା ତାକୁ ଛାଡ଼ି ଚାଲି ଯିବେ- ସେ କିପରି ସହିବ ? ମନକୁ ମନ କାନ୍ଦେ, ସେ ତ ଅବୁଝା ପିଲା ନୁହେଁ- ତାର ଯେ ଜ୍ଞାନଥିଲା, ତାର କଥା ଠିକ୍ ଗୋଟିଏ ୬୦ ବର୍ଷର ବୁଢ଼ୀର କଥା ଭଳି ।
ଶ୍ୟାମ ବାବୁ ବଡ଼ କଷ୍ଟରେ ତାକୁ ସାଙ୍ଗରେ ଧରି ଗଣ୍ଡେ ଖାଆନ୍ତି, ସେ ଖାଇବାକୁ ମନକରେ ନାହିଁ । ସଦାବେଳେ ମାଆପାଖରେ ବସିଥାଏ, ପ୍ରଭୁଙ୍କୁ ଡାକେ । ସତେ ପ୍ରଭୁ ଶୁଣିବେ- ତା କଳା ଡୋଳାରୁ ଲୁହଧାର ବନ୍ଦ ହେବ ?
ମାଆର ଚେତା ହେବା ଦେଖି, ଆଉ ଆଖି ଫିଟାଇବା ଦେଖି ତାର ଶୁଷ୍କ କ୍ଷୀଣ ମୁଖରେ ଆନନ୍ଦର କ୍ଷୀଣ ଜ୍ୟୋତି ଦେଖାଗଲା । ସେ ବୁଝି