ନଥିଲା, ତାର ଏ ଆନନ୍ଦ ଶେଷ ଆନନ୍ଦ । ସେ ମାଆର ଆହ୍ୱାନରେ ତାଙ୍କର ମୁଖ ପାଖକୁ ଗଲା । ଆଉ ମଧ୍ୟ ବୁଢ଼ୀ ଶ୍ୟାମ ବାବୁଙ୍କୁ ପାଖକୁ ଡାକିଲେ- ଅତି ଧୀର କ୍ଷୀଣ କଣ୍ଠରେ କହିଲେ-
"ବାପା ଆଉ ବେଶୀ ବେଳ ନାହିଁ- ମୋର ଆୟୁ ମରି ଆସିଲାଣି । ଏହି କଥା ପଦକ କହି ବିଦାୟ ନେବି । ତୁ ମୋର ମହତ୍ତ୍ୱ ରଖିଚୁ- ତୋରି ଜିମା ଏଇ ମୋର କାଣି ଆଖିର କଜଳ ଗାରଟି ଅର୍ପି ଦେଇଗଲି । ଏହାକୁ ତୁ ମଣିଷ କରି ସତ୍ପାତ୍ରରେ ଦେବୁ ।
"ଆ, ମା ମଣି- କାନ୍ଦେନା- ମୋ ଧନଟିପରା । ବାପା ପାଖରେ ସୁଖରେ ରହିବୁ ।" ଏହା କହି ହାତଟି ବଢ଼ାଇଲେ ତାକୁ ଧରି ଶ୍ୟାମ ବାବୁଙ୍କୁ ସମର୍ପି ଦେବାକୁ; ମାତ୍ର ବଳ ପାଇଲା ନାହିଁ- ହାତ ଉଠିଲା ନାହିଁ । ଶ୍ୟାମବାବୁ ଝଟ କରି କହିଦେଲେ "ମା, କିଛି ଚିନ୍ତା କର ନାହିଁ । ସେ ମୋର ଆଦରର ଧନ । ଆଶ୍ୱସ୍ତହୁଅ; ପରମ ବିଶ୍ୱାସ କର, ମଣି ମୋର ପ୍ରାଣର ମଣି ।"
ବୃଦ୍ଧା ଅତିଶୟ କ୍ଷୀଣ କଣ୍ଠରେ "ତୋତେ ଆଶୀର୍ବାଦ କରେଁ- ସରୋଜକୁ କହିବୁ, ଦୀର୍ଘାୟୁ ହୋଇଥିବ" ଏପରି କେତେପଦ ପ୍ରଳାପ କଲାପରି କହି "ମଣି ! ମା ପ୍ରଭୁହେ"- ଏତିକି ମାତ୍ର କହି ଗୋଟିଏ ଦୀର୍ଘନିଶ୍ୱାସ ପରି ଶବ୍ଦରେ ପବନ ଛାଡ଼ିଦେଲେ । ପ୍ରାଣବାୟୁ କେଉଁଆଡ଼େ ବହିଗଲା । ମଣି କାନ୍ଦି କାନ୍ଦି ଗଡ଼ିଗଲା । ଶ୍ୟାମ ବାବୁ ଭୋ' ଭୋ' ହୋଇ ଥରେ ଦି ଥର କାନ୍ଦି ପକାଇ ପୁଣି ସମ୍ଭାଳି ନେଲେ; କାରଣ ସେ କାନ୍ଦିଲେ ମଣିକି କିଏ ସାନ୍ୱନା ଦେବ ?