ଗୋବର ଗୋଟେଇ
ରଖି ନାହିଁ- ସେ ବାଟୋଇ ଭିତରେ ଧନି-ଦରିଦ୍ର, ରାଜା ପ୍ରଜା ଭେଦ ଠୁଳେ ମାତ୍ର ରଖି ନାହିଁ- ତା ଦେଖନ୍ତାରେ ସଭିଏ ସମାନ ।
ସାଇଁ ପାଇଁ ବର୍ଷାଭିତରେ ଆଶ୍ରା ବିଶ୍ରା କିଛି ନପାଇ ଡିପୋଟି ଶ୍ୟାମସୁନ୍ଦର ବାବୁ ତିନ୍ତି ତିନ୍ତି ସାଇକେଲଟିକୁ ଧରି ଆଣ୍ଠୁଏ ପାଣିରେ ସଡ଼କ ଉପରେ ଚାଲିଚନ୍ତି । ତାଙ୍କର ବେଶ ପୋଷାକ ଭିତରେ ମୁଣ୍ଡରେ ବିଲାତି ହ୍ୟାଟ୍, ଖଣ୍ଡେ ହାଫ୍ ପେଣ୍ଟୁଲନ୍, ଦେହରେ କାମିଜ, କୋଟ- ଆଖିରେ ଚସମା, ଗୋଡ଼ରେ ଜୁତା, ମଉଜା । ଦେହରେ ଶୁଖିଲା ହୋଇ ଖଣ୍ଡିଏ କନା ସୁଦ୍ଧା ନାହିଁ । ମୁଣ୍ଡ ଟୋପିଟି ଯୋଗେ ଯେ ସେ କୁଆପଥରରୁ ଟିକିଏ ରକ୍ଷା ପାଇଚନ୍ତି ଏତିକି ସୌଭାଗ୍ୟ ! ବାଟରେ କେଉଁଠି ଗୋଟିଏ ଗଛ ଥିଲେ ଯେ ସେ ଏପରି ଚାଲନ୍ତେ ତାହା ନୁହେଁ- ଅନ୍ଧାର ଭିତରେ ବିଜୁଳି ଆଲୁଅରେ ସେ କେତେଥର ଦେଖିଲେଣି- ଗୋଟିଏ ବୋଲି ଗୋଟିଏ ଗଛ ଦିଶୁ ନାହିଁ । ପ୍ରାୟ ଅଳ୍ପ ବାଟ ପର୍ଯ୍ୟନ୍ତ ସାଇକେଲର ବତୀଟି ଥିଲା, ତାହା କେତେବେଳୁ ଲିଭିଗଲାଣି । ଆଜି ତାଙ୍କ ପ୍ରାଣରେ ଠୁଳେ ମାତ୍ର ଆଶା ନାହିଁ । ବାଟ ଭୁଲ କରିଚନ୍ତି ବୋଲି ମଧ୍ୟ ତାଙ୍କର ହେତୁ ନାହିଁ । ସେ ସିରିସିରି ବର୍ଷାଭିତରେ ଚାଲିଛନ୍ତି ।
ବିପଦ ଅଇଲା ଦିନ ସେ ଗୋଟିଏ ହୋଇ ଆସେ ନାହିଁ- ଦଶଟି ହୋଇ ଆସେ । ଶ୍ୟାମସୁନ୍ଦର ବାବୁ ପାଣିରେ ଥଳକୂଳ କିଛି ଦେଖିବାକୁ ନ ପାଇ ଚାଲିଚାଲି ଜଡ଼ଜଡ଼ ହୋଇଗଲେ । ବିଜୁଳି ଆଲୁଅରେ ତାଙ୍କୁ ଦୂରରେ ଗୋଟିଏ ଥୁଣ୍ଟା ଆମ୍ବଗଛ ଦିଶିଲା । ସେ ଆନନ୍ଦରେ ଆତ୍ମହରା ହୋଇ 'ଆଃ ବଞ୍ଚିଲି' ବୋଲି କହି ସେ ଗଛମୂଳକୁ ଯାଇ ଗଛମୂଳରେ ସାଇକଲ୍ଟି ଆଉଜାଇ ଦେଇଛନ୍ତି ତାଙ୍କୁ ଶୁଭିଲା ମଟ୍ ମଟ୍ ମଟ୍ । ପବନ ଘୁ ଘୁ ଚାଲିଛି- ବର୍ଷା ସର୍ସର୍ ପଡ଼ୁଚି- କୁଆପଥର ଖଡ଼ ଖାଡ଼ ହୋଇ ଗଦା ହେଉଚି । ତା ଭିତରେ ଏପରି ମଟ୍ ମାଟ୍ ଶୁଣି ସେ