ସେପରି ନୁହେଁ- ସେମାନଙ୍କର ପ୍ରେମ ଚିରସ୍ଥାୟୀ । ଉଭୟେ ଉଭୟଙ୍କୁ ଦେଖିବା ପାଇଁ- ଏକାଠି ବସିବାପାଇଁ- ଏକାଠି ବୁଲିବା ପାଇଁ ଏତେ ଭଲପାନ୍ତି ଯେ, ଜଣକର କାଣି ଆଙ୍ଗୁଠିର ଆଘାତ ଅନ୍ୟକୁ ବଡ଼ ବୋଧେ । ଏ ପ୍ରୀତି ଆଜକୁ ୬ ବର୍ଷ ହେଲା ଚାଲି ଆସିଅଛି ।
ଦିନେ ଦିନେ ନଈ କୂଳରେ ଦୁହେଁ ବସି କଥାବାର୍ତ୍ତା ଦୁଅନ୍ତି- ସେମାନେ ଭବିଷ୍ୟତରେ ବିବାହ ହେଲେ ତାଙ୍କର ପୁଅଝିଅ ନେଇ ବନ୍ଧୁ ବାନ୍ଧବ ହେବେ । ଏକାଠି ରହିବେ । ବିନୋଦର ଘର ମୋଫସଲରେ । ସେ କଣ କରିବ ତାର ପିତାର କ୍ରୁରଦୃଷ୍ଟିରେ ଆଜକୁ ଦୁଇବର୍ଷ ହେଲା ବିଭା ହୋଇଚି । ସେଥିପାଇଁ ତା ମନରେ ବଡ଼ ଦୁଃଖ । ତେବେ ପିତାଙ୍କର ଅମୂଲ୍ୟ ଦାନଟି ଉପେକ୍ଷା କରିବାକୁ ତାର ଶକ୍ତି ଅଳ୍ପ ।
ବିନୋଦ ସରୋଜ ସମବୟସୀ । ଦୁହିଁଙ୍କୁ ଦେଖିଲେ ଜଣାଯାଏ ଯେପରି ଏକା ମାଆର ଦୁଇଟି ପୁଅ । ତେବେ ସରୋଜର ସୌନ୍ଦର୍ଯ୍ୟ କୌଣସି କାରଣରୁ ବିନୋଦ ଅପେକ୍ଷା ସରସ । ଉଭୟେ ମିଷ୍ଟଭାଷୀ, ସରଳ । ପତ୍ର ପତ୍ରିକାରେ ପ୍ରବନ୍ଧ ଲେଖିବାରେ ଉଭୟେ ପଟୁ । ଜଣେ କାମର ବିପକ୍ଷରେ ଲେଖିଲେ, ଜନେ ପ୍ରେମର ସପକ୍ଷରେ- ଜଣେ ଲାଳସାର ବିରୋଧରେ ଲେଖିଲେ, ଜଣେ ସ୍ନେହର ଗୌରବରେ- ଜଣେ ଭକ୍ତି ଲେଖିଲେ, ଜଣେ ଆଦର- ଜଣେ ସେବା ଲେଖିଲେ, ଜଣେ ସୋହାଗ ଏପରି କବିତା ସବୁ ପ୍ରାୟ ସାମ୍ୟ ରଖି ଲେଖନ୍ତି । ଯେଉଁ ମନ୍ତ୍ରପର ଯାହାର ପ୍ରେମିକ ସ୍ୱପ୍ନ ସଫଳ ହୁଏ, ସେମାନେ ସେହିପରି ସ୍ୱରୂପ ଚିତ୍ର ହୋଇଥାନ୍ତି । ସେମାନଙ୍କର ଜୀବନ୍ତ କବିତା ସର୍ବତ୍ର ଆଦୃତ ହୁଏ ।
ଦିନ ତିନିଟା ବେଳେ ଯେତେବେଳେ ସରୋଜର ଜର କମିଗଲା, ସେ ଆଖି ମେଲାଇ ଚାହିଁଲା- ଦେଖିଲା ବିନୋଦ ତାର ପାଦ ଘସି ଦଉଚି; ଆଉ କେତେଜଣ ପିଲା ଏ ପାଖ ସେପାଖ ହେଉଚନ୍ତି ।