ସରୋଜ- "ଧାତ୍ ବଗୁଲିଆ, ରହ ତୋ ଥଟା ଛଡ଼ୋଇଚି" କହି ଉପରକୁ ଯିବା ପୂର୍ବରୁ ଦାସିଆ କହିଲା, "ପିଲା ବାବୁ- ବାବୁଙ୍କ ନାଆଁରେ ଏହି ଚିଠିଟା କଣ ନିଅ ।"
ସରୋଜ ଚିଠି ପଢ଼ି ଦେଖିଲ- ବାଳିକା ସ୍କୁଲର ପ୍ରନ୍ସିପାଲ ମିସ୍ରାୟ ଲେଖିଚନ୍ତି ଯେ- "୧୭ ତାରିଖରେ ଛୁଟି ହେଉଅଛି- ଯେଦିନ ମଣିକୁ ଆସି ନେଇଯିବେ ।"
ଆଜି ୧୬ ତାରିଖ- ସରୋଜ ଧଡ଼ପଡ଼ ହୋଇ ଦାସିଆକୁ କହିଲା, "ଯାଆ- ଡ୍ରାଇଭରକୁ ଉପର ବେଳା ଯିବାପାଇଁ ସଜଲି ହେବାକୁ କହିଦେ ।" ଦାସିଆ ଚାଲିଗଲା । ଏଣେ ବିନୋଦ ସରୋଜ ଖାଇପିଇ ରେଳରେ ଆସିଥିବା ରାତି ଅନିଦ୍ରା ଯୋଗେ ଶୋଇପଡ଼ିଲେ । ସେମାନେ ତାର କରିଥିଲେ ଦାସିଆ ମଟର ପଠାଇ ଦେଇଥାନ୍ତା; ମାତ୍ର ଅଦ୍ଭୁତ ଭାବରେ ଷ୍ଟେସନରେ ପହଞ୍ଚି ବଳଦ ଗାଡ଼ି ଛଡ଼ା ସେଦିନ ଘୋଡ଼ା ଗାଡ଼ି ଖଣ୍ଡେ ସୁଦ୍ଧା ପାଇଲେ ନାହିଁ । ଷ୍ଟେସନରୁ ଘରକୁ ଚାଲିମାଇଲ ବାଟ । ବଳଦ ଗାଡ଼ିଟାରେ ଧକର କଚର ହୋଇ ଆସି ଦୁହିଁଙ୍କୁ ବଡ଼ କଷ୍ଟ ହୋଇଥିଲା । ତେଣୁ ଦୁହେଁ ଏକାଠି କଣ ଦିଗୁଣ୍ଡା ଗିଳି ଦେଇ ଖଟ ଧଇଲେ । ନିଦ ଭାଙ୍ଗିଲା ତିନିଟା ବେଳେ ସରୋଜର ।
ବିନୋଦ ବିଚରାର ସୁଖସପ୍ନ ଭାଙ୍ଗିବାକୁ ସରୋଜର ଇଚ୍ଛା ନ ଥିଲା । ତେବେ ଭାଙ୍ଗିବାକୁ ବାଧ୍ୟ ହେଲା- କାରଣ ସେମାନେ ୨୦ ମାଇଲ ରାସ୍ତା ଯିବେ । ସରୋଜର ପିତାଙ୍କ ଘର ଯଦିଓ ଗୋଟିଏ ସହରରେ, ତେବେ ସେଠାରେ ଗୋଟିଏ ସେକେଣ୍ଡରୀ ସ୍କୁଲ ବାଳକମାନଙ୍କ ପାଇଁ, ଆଉ ଗୋଟିଏ ପ୍ରାଇମେରୀ ସ୍କୁଲ ବାଳିକାମାନଙ୍କ ପାଇଁ ଛଡ଼ା ଆଉ କିଛି ନ ଥିଲା । ତେଣୁ ସରୋଜ ସୂଦୁର ଦେଶରେ କଲେଜରେ, ଆଉ ମଣି ଘରଠାରୁ ନିକଟ ୨୦ ମାଇଲ ଦୂରବର୍ତ୍ତୀ ସ୍ଥାନରେ ମିଶନ ହାଇସ୍କୁଲରେ ପଢ଼ୁଥିଲା ।