ବିନୋଦ ଆଉ ସରୋଜକୁ ଦେବାକୁ ଯାଇ ଦେଖିଲା- ବିନୋଦ ଗୋଟିଏ ଘରେ ଏକା ବସିଚି ସରୋଜ ନାହିଁ । ବିନୋଦ ଫୁଲମାଳଟି ଦେଖି ଅତୀବ ଆନନ୍ଦ ହୋଇ କହିଲା, "ବାଃ ! ଏ କଣ ତୋ' ହାତତିଆରି ମଣି ? ବଡ଼ ସୁନ୍ଦର ହୋଇଚି ।" ସରଳା, ନିଷ୍ପାପା, କୋମଳା ବାଳିକା ସେତିକି ଶୁଣିବାକୁ ପାଇ ତୃପ୍ତ ହୋଇଥିଲା, ମାତ୍ର ସରୋଜ ଯେତେବେଳେ ସେ ମାଳଟି ପାଇଥିଲା, ତାକୁ ଅବଜ୍ଞାରେ କେଉଁଠି ପକାଇ ଦେଇ କିଛି ନ କହି ଚାଲିଯାଇ ଥିଲା । ଏଥିରେ ବାଳିକା ମନରେ ଯେ କି କଷ୍ଟ ହୋଇଥିଲା, ତା' କହିଲେ ନସରେ ।
ଏଯାଏ ସରୋଜ ଏହି ମଣିର ଅଭିମାନ ଅଛି କି ନ ଅଛି ଆଦୌ ଜାଣି ନଥିଲା । ଏଥର ଜାଣିପାରି ବାଧ୍ୟ ହୋଇ ତାର ଅଭିମାନ ହୃଦୟକୁ ଶାନ୍ତ କରିବା ପାଇଁ ପାଖକୁ ଟାଣିନେଇ କହିଥିଲା, "ମଣି ! ମଣି ! କାନ୍ଦୁଚୁ ! ମୁଁ ଫୁଲ ନେଲି ନାହିଁ ବୋଲି କାନ୍ଦୁଚୁ ? ଛି, ଉଠୁ । ମୁଁ ପଛେ ନେବି ବୋଲି ପକେଇ ଦେଲିନା ? ତୁ ବାୟାଣୀଟା ନ ବୁଝି ଏତେ କାନ୍ଦିଲୁଣି ?"
ମଣି କଥା କିଛି କହିଲା ନାହିଁ- ସରୋଜ କାନ୍ଧରେ ବେକଟି ରଖି ମୁଣ୍ଡଟିକୁ ପଛପାଖକୁ ନୁଆଇଁ ଦେଲା । ସରୋଜ ସେଠୁ ଦେଖିଲା, ଏ ଅଭିମାନର ସୀମା ଶେଷ କରିଚି- ତେଣୁ ଥଟ୍ଟା କରି ତାକୁ ହସେଇବାକୁ ଚେଷ୍ଟା କଲା । ତାକୁ ଧଡ଼ପଡ଼ ହୋଇ ଉଠିବା ପାଇଁ "ଆରେ ଆରେ, ଗୋଟେ ଜନ୍ଦାଟେ ଦିହ ଭିତରକୁ ଗଲା ଏ-ଏ-ଉଠ ଉଠ, କାମୁଡ଼ି ଦେବ" ବୋଲି ଗୋଟାଏ ଚିତ୍କାର କଲା, ମାତ୍ର ମଣି ଉଠିଲା ନାହିଁ । ତାର ଦେହକୁ କେତେ ଥର ଚିମୁଟିଲା, ମାତ୍ର ପଛପାଖେ ଆସ୍ତେ ଆସ୍ତେ ଅଭିମାନିନୀର ଦରହସା ମୁହଁ ଫୁଟିଲା । ମୁଣ୍ଡ ଉଠାଇଲା ନାହିଁ । ତହୁ ସରୋଜ ମୁଣ୍ଡଟିକୁ ବୁଲେଇ ଆଣି ଯେତେବେଳେ ଗୋଟେ ଚୁମ୍ବନ ଦେଇ ଦେଲା, ଅଭିମାନ ସାଗର ତତ୍କ୍ଷଣାତ୍ ଶୁଖିଗଲା । ହସି ହସି ଉଠି ମଣି ମାଳଟିକୁ ପୁଣି ଭାଇ ହାତରେ ଦେଲା ।