ସରୋଜ ଏଥର ମଣିକୁ ସାଙ୍ଗରେ ଧରି ଅନ୍ୟ ଘରକୁ ଗଲା ? ଦାସିଆ ସାଇ ବ୍ରାହ୍ମଣଙ୍କ ଦ୍ୱାରା ସରୋଜକୁ ଗୋଟାଏ ମୁଣ୍ଡିଆ ମରାଇ କାମ ଠିକ କରି ନେଲା । ଯାଥାରୀତି ଶବସଂସ୍କାର ହେଲା । ସରୋଜ ପିତାଙ୍କ ମୁଖରେ ଅଗ୍ନି ଦେଇ ଗୃହକୁ ଫେରିଲା । ହଜାର ହଜାର ଟଙ୍କା ପାଣିକି ପକାଇଲା ପରି ଦେଇ ସରୋଜ ଯେପରି ଶୁଦ୍ଧଶ୍ରାଦ୍ଧ କଲା, ତାହା ଆଖିରେ ସେଠା ଲୋକ କେବେ ଦେଖି ନ ଥିଲେ ।
ସେ ଯାହାହେଉ, ବାର ବାସୀ ତେରଦିନ କାଙ୍ଗାଳି ଭୋଜନର ବ୍ୟବସ୍ଥା ହୋଇଥିଲା । ହଜାର ହଜାର କାଙ୍ଗାଳି ଜମା ହୋଇଥିଲେ । ସେମାନଙ୍କୁ ପ୍ରଥମେ ଖଣ୍ଡେ ଖଣ୍ଡେ ଖଦଡ଼ ଲୁଗା ଦିଆ ଯାଉଥିଲା । ଖଣ୍ଡିଏ ଲେଖାଏଁ ପାଇ ଯେଝା ସୁଖରେ ଅନେକେ ଚାଲିଯାଉଥିଲେ, ମାତ୍ର ଛିନ୍ନବସ୍ତ୍ର ପରିହିତ ବିକଳାଙ୍ଗ ପଳିତମୁଣ୍ଡ ପ୍ରାଣହୀନ ଅସ୍ଥ ଚର୍ମସାର ଗୋଟିଏ ବୃଦ୍ଧ ଖଣ୍ଡିଏ ନେଲେହେଁ ଏ ପାଖ ସେ ପାଖ ହେଉଥିଲା । ଆଗେ ନେଇ, ଲୁଗା ଖଣ୍ଡିକ ସେ ଛିଡ଼ା କନାବୁଜୁଳି ଭିତରେ ଯତ୍ନରେ ପୁରାଇ ପୁଣି ଆଉଥରେ ଯେତେବେଳେ ଆସି ମାଗିଲା, ସେତେବେଳେ ସେ ଧରା ପଡ଼ିଗଲା । ଏ ବିରାଟ କାମରେ ବିନୋଦ ଯଦି ଯୋଗ ଦେଇ ନ ଥାନ୍ତା, ତେବେ ସରୋଜର ବୃଥା ଅଜସ୍ର ଟଙ୍କା ବ୍ୟୟ ହୋଇଯାଇଥାନ୍ତା । ମାତ୍ର ଅର୍ଥନୀତିଜ୍ଞ ବିନୋଦର ଯତ୍ନରୁ କାମ ଅତି ସୁନ୍ଦର ଭାବରେ ଚଳିଥିଲା । ଆଜି ଲୁଗା ଦେଉଛି ବିନୋଦ । ଏପରି କିଏ ଚଲାକ ତାର ଆଖି ଆଗରେ ଜଣେ ଦୁଇଥର ନେଇଯିବ ? ମିଛରେ ଏତେ ବର୍ଷ ସେ ଅର୍ଥନୀତି ଅଧ୍ୟୟନ କରିଚି । ଲୋକଟାକୁ ଧରି ଦେଇ ତାକୁ ବାହାର କରି ଦେବାକୁ ବିନୋଦ କହି ଦେଇଛି- ଏହି ସମୟରେ ହଠାତ୍ ଧୀର ପଦକ୍ଷେପରେ ଜେମାମଣି ପହଞ୍ଚିଯାଇ କହିଲା- "ଭାଇ ! ଭାଇ ! ଦିଅ ଦିଅ- ଆଉଖଣ୍ଡେ ତାକୁ ଦିଅ ।"